ଦୁଷ୍କର୍ମ ବିରୋଧୀ ବିଲ୍ ଆଣିଲେ ମମତା ସରକାର

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍‌

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ ‘ଅପରାଜିତା’ ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି । ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ । ‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍’ ୨୦୨୪ ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ୨୧ ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।ସେହିପରି ଏସିଡ୍ ଆଟାକ୍ ଏବଂ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି । ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସି ଏହି ବିଲ୍ ପାରିତ ହୋଇଛି ।