ଶୁକ୍ରବାର ବାତ୍ୟାର ରୂପ ନେବ ଅବପାତ

ଓଡ଼ିଶା ଉପରେ ନାହିଁ ବାତ୍ୟାର ପ୍ରଭାବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ସାମୁଦ୍ରିକ ବାତ୍ୟା ବାଂଲାଦେଶ ତଟରେ ଉପକୂଳ ଅତିକ୍ରମ କରିବାକୁ ଥିବାରୁ ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡ଼ିବାର ନାହିଁ କିମ୍ବା ରାଜ୍ୟରେ ବଡ ବର୍ଷାର ଭୟ ମଧ୍ୟ ନାହିଁ । କେବଳ ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଜିଲ୍ଲାରେ ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତ ରୂପରେ ରହିଥିବା ବେଳେ ଶୁକ୍ରବାର ବାତ୍ୟାର ରୂପ ନେବ। ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନରହିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ ପବନର ବେଗ ଅଧିକ ରହିବ। ଉପକୂଳ ଓଡିଶାରେ ପନର ବେଗ ଘଣ୍ଟାକୁ ୪୫ ରୁ ୫୫ କିମି ରହିବ। ଆଜି ଏବଂ ଶୁକ୍ରବାର ପବନର ବେଗ ଅଧିକ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାସହ ପୁରୀ, ଜଗସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ କଟକରେ ଆଜି ଏବଂ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ୧୫ରୁ ୧୭ ପର୍ଯ୍ୟନ୍ତ ଯିବା ପାଇଁ ବାରଣ କରାଯାଇଛି। ତେବେ ୧୯ ପରେ ପୁଣି ବଢିବ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି ।