୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ
ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ଆହୁରି ତିନି ଦିନ ତାତିରୁ ତ୍ରାହି ନାହିଁ । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମଲହରି । ଗତ ୨୪ଘଣ୍ଟାରେ ରାଜ୍ୟର ୩ ସହରରେ ପାରଦ ୪୫ ଡିଗ୍ରୀ ପାର କରିଥିଲା । ୪୫.୯ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ । ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ରହିଥିଲା । ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ପଶ୍ଚିମରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବା ବେଳେ ଉପକୂଳରେ ତାତିକୁ ବଳିଯାଇଛି ଗୁଳୁଗୁଳି କଷ୍ଟ । ପାରାଦୀପ ଓ ଗୋପାଳପୁରରେ ଆର୍ଦ୍ରତା ୭୯ ପ୍ରତିଶତ ଛୁଇଁଥିଲା । ସେପଟେ ରାଜସ୍ଥାନର ଚୁରୁରେ ୫୦ ଡିଗ୍ରୀ ଡେଇଁଛି ପାରଦ । ସେଠାରେ ତାପମାତ୍ରା ୫୦.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।