ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍ ରିପୋର୍ଟ
ସଂସଦ ବଜେଟ ଅଧିବେଶନ । ଜାନୁଆରୀ ୩୧ରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଅଧିବେଶନର ତୃତୀୟ ଦିନ । ଆଜି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍ ରିପୋର୍ଟ । ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଏହି ରିପୋର୍ଟ ଉପସ୍ଥାପିତ କରିବେ। ଉଭୟ ଇଂରାଜୀ ଓ ହିନ୍ଦୀ ଭର୍ସନରେ ଏହି ରିପୋର୍ଟ ଗୃହରେ ଆଗତ ହେବ। ଗତ ଜାନୁଆରୀ ୩୦ ତାରିଖରେ ଜେପିସି ଅଧ୍ୟକ୍ଷ ସଂସଦକୁ ଆସି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଥିଲେ । ଏହା ସହ ୱାକଫ୍ ବିଲ୍ ସମ୍ପର୍କିତ ଜେପିସିର ଚୂଡାନ୍ତ ରିପୋର୍ଟ କପି ପ୍ରଦାନ କରିଥିଲେ। ଗତ ଜାନୁଆରୀ ୨୯ ତାରିଖରେ ଜେପିସି ଚିଠା ରିପୋର୍ଟକୁ ଅନୁମୋଦନ କରିଥିଲା। କମିଟିର ୧୬ ଜଣ ସଦସ୍ୟ ରିପୋର୍ଟ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୧୧ ସଦସ୍ୟ ଏହା ବିପକ୍ଷରେ ଭୋଟ୍ ଦେଇଥିଲେ। କମିଟିରେ ସାମିଲ ଥିବା ବିରୋଧୀ ସଦସ୍ୟମାନେ ଏହି ବିଲ୍କୁ ନେଇ ଆପତ୍ତି ଉଠାଇଥିଲେ। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଫେବ୍ରୁଆରୀ ୧ରେ ଉପସ୍ଥାପିତ ହୋଇଥିଲା ୨୦୨୫-୨୬ର ପୂର୍ଣ୍ଣାଙ୍ଗ ବଜେଟ ।