ହଜ, ୧୪ ଦେଶ ପାଇଁ ବଦଳିଲା ଭିସା ନିୟମ
ସାଉଦି ଆରବ ଏଥର ହଜକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ସାଉଦି ଆରବର ନୂଆ ନିଷ୍ପତ୍ତି ମୁତାବକ, ଏବେ ହଜରେ ପିଲାମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପ୍ରତିବର୍ଷ ହଜ୍ ସମୟରେ ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ କହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହଜ୍ ଯାତ୍ରା କରିବାକୁ ବାରଣ କରାଯାଇଛି ।ମନ୍ତ୍ରଣାଳୟ କହିଛି ଯେ ୨୦୨୫ରେ କେବଳ ପ୍ରଥମ ଥର ପାଇଁ ହଜ୍ କରିବାକୁ ଆସୁଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଭିଡ଼ ଯୋଗୁ ହେଉଥିବା ସମସ୍ୟାରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହଜ୍ ୨୦୨୫ ପାଇଁ ପଞ୍ଜୀକରଣ ଆରମ୍ଭ କରାଯାଇଛି । ସାଉଦି ଆରବର ନାଗରିକ ତଥା ସେଠାକାର ବାସିନ୍ଦାମାନେ Nusuk app ଜରିଆରେ କିମ୍ବା ସରକାରୀ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ । ଆବେଦନକାରୀମାନେ ନିଜର ବିବରଣୀ ସହିତ ସେମାନଙ୍କ ସହ ଯାତ୍ରା କରୁଥିବା ଲୋକଙ୍କର ମଧ୍ୟ ପଞ୍ଜୀକରଣ କରାଇବେ ।ସାଉଦି ଆରବର ନୂତନ ଭିସା ନିୟମ ଦ୍ୱାରା ଆଲଜେରିଆ, ବାଂଲାଦେଶ, ମିଶର, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାକ, ଜୋର୍ଡାନ, ମରକ୍କୋ, ନାଇଜେରିଆ, ପାକିସ୍ତାନ, ସୁଡାନ, ଟ୍ୟୁନିସିଆ ଏବଂ ୟେମେନ ଆଦି ଦେଶ ପ୍ରଭାବିତ ହେବ । ସାଉଦି ସରକାର ଏହି ଦେଶଗୁଡ଼ିକ ସହିତ ପର୍ଯ୍ୟଟନ, ବ୍ୟବସାୟ ଏବଂ ପାରିବାରିକ ଗସ୍ତ ପାଇଁ ଏକ ବର୍ଷର ମଲ୍ଟିପଲ୍ ଏଣ୍ଟ୍ରି ଭିସାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ନୂତନ ନିୟମ ଅଧୀନରେ ଏହି ଦେଶଗୁଡ଼ିକର ଲୋକମାନେ କେବଳ ଏକକ ପ୍ରବେଶ ଭିସା ପାଇଁ ଆବେଦନ କରିପାରିବେ, ଯାହା ମାତ୍ର ୩୦ ଦିନ ପାଇଁ ବୈଧ ହେବ ।
