ଓଡ଼ିଶାରେ ମିଳିବ ବିଦେଶୀ ଭିସା ସୁବିଧା
ଓଡ଼ିଶାରେ ମିଳିବ ବିଦେଶୀ ଭିସା ସୁବିଧା । ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ଆସନ୍ତା ଏପ୍ରିଲ ୧ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚିତ କରିଛନ୍ତି । ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ସେପ୍ଟେମ୍ବର ୨ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ପତ୍ର ଲେଖି ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ ।ତେବେ ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ଗ୍ରହଣ କରି ଭୁବନେଶ୍ୱରରେ ୧ ଏପ୍ରିଲରୁ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ବ୍ରିଟେନ ଓ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ ‘ଭିସା କନସିଅର୍ଜ ସେବା’ ମଧ୍ୟ ଉପଲବ୍ଧ ହେବ ।
