ଆଜି ଆସିବ ପାର୍ସଲ ବୋମା ରାୟ
ଆଜି ପାର୍ସଲ ବୋମା ରାୟ। ଦଣ୍ଡ ବିଧାନ ଉପରେ ନଜର , ୭ ବର୍ଷ ପରେ ଫଇସଲା। ପାଟଣାଗଡ଼ ଏଡିଜେ ଅଦାଲତରେ ଏହି ବହୁ ଚର୍ଚ୍ଚିତ ମାମଲାର ଫଇସଲା ହେବ। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଭାଗ୍ୟର ଫଇସଲା କରିବେ ବିଚାରପତି। ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ହେବ ତ? କୋର୍ଟ ରାୟ କ’ଣ ରହିବ? ଏସବୁ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଉଭୟ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀଙ୍କ ହୃଦ୍ସ୍ପନ୍ଦନ ବି ବଢ଼ି ଯାଇଛି। କାରଣ, ଏହି ମାମଲାର ରାୟ ଆଇନଜ୍ଞମାନଙ୍କ ପାଇଁ ଏକ ସର୍ବକାଳୀନ ଉଦାହରଣ ଭାବେ ପରିଗଣିତ ହେବ। ଗତ ୧୪ ତାରିଖ ଉଭୟ ପକ୍ଷର ଓକିଲଙ୍କ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ବିତର୍କ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ କୋର୍ଟ ରାୟକୁ ୨୮ ତାରିଖ ଯାଏଁ ସଂରକ୍ଷିତ ରଖିଥିଲେ।
୨୦୧୮ ଫେବୃଆରୀ ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା।
