୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ରୁଷ୍ ଓ ଇରାନ ସମେତ ମୋଟ ୭୫ଟି ଦେଶର ନାଗରିକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଫକ୍ସ ନ୍ୟୁଜ୍ର ଏକ ରିପୋର୍ଟ ଅନୁଯାୟୀ, ଏହି ନିଷେଧାଦେଶ ଜାନୁଆରି ୨୧ ତାରିଖରୁ ଲାଗୁ ହେବ। ରିପୋର୍ଟରେ ଆମେରିକାର ବୈଦେଶିକ ବିଭାଗର ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶକୁ ଦର୍ଶାଇ କୁହାଯାଇଛି ଯେ ଭିସା ପ୍ରକ୍ରିୟାର ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ପ୍ରଚଳିତ ଆଇନ ଅନୁଯାୟୀ ଭିସା ପ୍ରଦାନ ନ କରିବାକୁ ଆମେରିକାର ଦୂତାବାସଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଏହି ନିଷେଧାଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହେବାକୁ ଯାଉଛି ।
ରିପୋର୍ଟ ଅନୁଯାୟୀ ସୋମାଲିଆ, ରୁଷ୍, ଇରାନ, ଆଫଗାନିସ୍ତାନ, ବ୍ରାଜିଲ, ନାଇଜେରିଆ, ଥାଇଲାଣ୍ଡ, ଇଜିପ୍ଟ ଏବଂ ୟେମେନ ମଧ୍ୟ ୭୫ ପ୍ରଭାବିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ। ତେବେ ଏହି ରିପୋର୍ଟ ଉପରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ଏହି ନିଷେଧାଦେଶ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ନିଷ୍ପତ୍ତିକୁ ଟ୍ରମ୍ପ ପ୍ରଶାସନର କଠୋର ଇମିଗ୍ରେସନ୍ ନୀତିର ଏକ ଅଂଶ ଭାବରେ ଦେଖାଯାଉଛି।
