ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା
ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କଲା ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା। ସୋମବାର ସି-ଜିନପିଙ୍ଗଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ୍ ଦେଇଥିଲେ ଆମେରିକା ରାଷ୍ଟ୍ରପତି। ପ୍ରତିଶୋଧମୂଳ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ, ଚୀନ୍ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ କହିଥିଲେ। ତେବେ ଚୀନ ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି ।
ତେବେ ବିଶ୍ବରେ ଟାରିଫକୁ ନେଇ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ବେଜିଂ ଆମେରିକା ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ଘୋଷଣା କରିବାର ୪୮ ଘଣ୍ଟା ନ ପୂରୁଣୁ ଗତକାଲି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ । ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ ଟାରିଫ ୯୪ ପ୍ରତିଶତ ଛୁଇଁଥିଲା । ପୂର୍ବରୁ ୩୪ ପ୍ରତିଶତ ଟାରିଫ ସହ ନୂଆ ୫୦ ପ୍ରତିଶତ ଏହାଛଡ଼ା ସବୁ ଦେଶ ଉପରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫକୁ ମିଶାଇ ଚୀନ ଉପରେ ୯୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ପୁଣିଥରେ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା ।ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିବ । ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ ହୋଇଛି । ଫଳରେ ନିବେଶକମାନେ ଚିନ୍ତାରେ ପଡିଛନ୍ତି ।
