କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାତି
କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ । ଯାହା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ମାଳଭୂମିରୁ ହଠାତ୍ ଉଭାନ ହୋଇଯାଇଛି ଶୀତ । ରାତିରେ ହାଲକା ଥଣ୍ଡା ପରିବେଶ ରହୁଥିଲେ ବି ସୂର୍ଯ୍ୟୋଦୟ ପରେ କିନ୍ତୁ ଦିନରେ ଟାଇଁ ଟାଇଁ ଖରା। ଯେଉଁଠି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବି ଲାଗିରହେ ଶୀତ, ଏ ବର୍ଷ କିନ୍ତୁ ଏବେଠାରୁ ଗରମ ଅନୁଭୂତ ହେଲାଣି। ଭୁବନେଶ୍ୱରରେ ଗତ ୨୦ ତାରିଖରେ ସକାଳ ସାଢେ ୫ଟାରେ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଗତକାଲି ସମାନ ସମୟରେ ତାପମାତ୍ରା ଥିଲା ୧୯ ଡିଗ୍ରୀ । ସେହିପରି ଝାରସୁଗୁଡାରେ ୨୦ ତାରିଖରେ ତାପମାତ୍ରା ଥିଲା ୯.୬ ଡିଗ୍ରୀ ସେଲସିଅସ୍ । ଆଜି ପହଞ୍ଚିଛି ୧୩.୨ ଡିଗ୍ରୀରେ । ୩ ଦିନ ଭିତରେ ପାଖାପାଖି ୪ ଡିଗ୍ରୀ ବଢିଛି ପାରଦ ।ଉପକୂଳ ଓଡ଼ିଶା ଏବଂ ବଙ୍ଗୋପସାଗର ଉପରେ ଏବେ ଏକ ଆଣ୍ଟି ସାଇକ୍ଲୋନିକ୍ ଷ୍ଟର୍ମ ରହିଛି । ଏହାର ପ୍ରଭାବରେ ଆଦ୍ରତାଯୁକ୍ତ ବାୟୁ ବହୁଛି । ଏଥିସହ ଏବେ ଦକ୍ଷିଣ-ପଶ୍ଚିମ ଦିଗରୁ ବହୁଛି ପବନ । ସେଠାରେ ତାପମାତ୍ରା ଅଧିକ ଥିବାରୁ ଏଠାରେ ବି ଗରମ ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।
