ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା । ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ସାମାନ୍ୟ କମ୍ ରହିବ । ୧୯ ତାରିଖ ଠାରୁ ପୁଣି ବଢିବ ବର୍ଷାର ପରିମାଣ । ୨୦ରେ ଭୀଷଣ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ ଏହାସହ ଜଡିତ ଘୁର୍ଣ୍ଣିବଳୟ ଆଜି ପଶ୍ଚିମ ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି । ପ୍ରଭାବରେ ଆଜି କେତେକ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟରେ ୨୨.୭ ମିମି ବର୍ଷା ରେକର୍ଡ ହୋଇଛି ।
ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ । ଭୀଷଣ ବର୍ଷାରେ ଭରଣା ହେଲା ନିଅଣ୍ଟିଆ ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣ । ଗତ ୪୮ ଘଣ୍ଟାରେ ଅନୁଭୂତ ବର୍ଷା ପ୍ରଭାବରେ ରାଜ୍ୟରେ ୮% ନିଅଣ୍ଟିଆ ଭରଣ ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିମି ତୁଳନାରେ ୨୦% କମ୍ ।