ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଦୁଇ ଚାଷୀ ନିମନ୍ତ୍ରିତ

ସନ୍ତୋଷିନୀ, ଯୁବରାଜ ଓ ଅକ୍ଷୟଙ୍କୁ ଆସିଛି ଦିଲ୍ଲୀରୁ ନିମନ୍ତ୍ରଣ

ଚଳିତବର୍ଷ ଜାତୀୟ ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଦୁଇଜଣ ଚାଷୀ ସନ୍ତୋଷିନୀ ମିଶ୍ର, ଯୁବରାଜ ଛତ୍ରିଆ ଓ ମନରେଗା ଶ୍ରମିକ ଅକ୍ଷୟ ଜୟଫୁଲଙ୍କୁ କେନ୍ଦ୍ର ସରକାର ନିମନ୍ତ୍ରଣ କରିଛନ୍ତି । ଆସନ୍ତା ୧୫ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ସମାରୋହରେ ଓଡ଼ିଶାର ଏହି ୩ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଦେଖିବାକୁ ମିଳିବ । ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନାରେ ବିଭିନ୍ନ କିସ୍ତିରେ ୨୮ହଜାର ଟଙ୍କା ପାଇଛନ୍ତି ଓ ସେହି ଟଙ୍କାରେ ନିଜ ଜମିରେ ମାଣ୍ଡିଆ ଚାଷ କରୁଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ଘଂଚ ଜଙ୍ଗଲରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଯୁବରାଜ ନିଜ ପ୍ରଚେଷ୍ଟାରେ ସଫଳତାର ସହିତ ମାଣ୍ଡିଆ ଚାଷ କରିପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇବା ପରେ ଯୁବରାଜ ଓ ତାଙ୍କ ପତ୍ନୀ ଆସମତି ଛତ୍ରିଆ ଦିଲ୍ଲୀ ଯାଉଛନ୍ତି । ଉଭୟ ପତି-ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ସୋନପୁର ଜିଲ୍ଲାର ଜୈବିକ ଚାଷୀ ସନ୍ତୋଷିନୀ ମିଶ୍ରଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି । ଦୀର୍ଘ ୭ବର୍ଷ ଧରି ସେ ନିଜର ୭ ଏକର ପରିମିତି ଚାଷ ଜମିରେ ଜୈବିକ ପ୍ରଣାଳୀରେ ସମନ୍ୱିତ ଚାଷ କରୁଛନ୍ତି । ନିଜ ଜମିରୁ ଉତ୍ପାଦିତ ଫସଲକୁ ସେ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରି କରୁଛନ୍ତି । ତାଙ୍କର ଏହି ଜୈବିକ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି । ତାଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହକୁ ନିମନ୍ତ୍ରଣ ମିଳିଥିବାରୁ ଏହା ତାଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ।