ସୁକିନ୍ଦାରେ ଯକ୍ଷ୍ମା, କିଡନି ରୋଗର ଆତଙ୍କ, ବେଫିକର ସରକାରୀ କଳ
ଯାଜପୁର ସୁକିନ୍ଦାରେ ମାଳମାଳ ରୋଗୀ। ସବୁଠି ଯକ୍ଷ୍ମା, କିଡନି ରୋଗର ଆତଙ୍କ। ଲୋକଙ୍କୁ କଲବଲ କରି ମାରୁଛି ପ୍ରଦୂଷଣ। ଅତ୍ୟଧିକ ପ୍ରଦୂଷଣ ସାଙ୍ଗକୁ ପାଣିରେ ହେକ୍ସାଭ୍ୟାଲେଣ୍ଟ କ୍ରୋମିୟମ୍ ଓ ବାୟୁରେ ଯକ୍ଷ୍ମା ଜୀବାଣୁ। ସୁକିନ୍ଦା ବ୍ଲକ୍ର କ୍ରୋମ୍ ଉପତ୍ୟକା, ଦାନଗଦୀ ବ୍ଲକ୍ର ଶିଳ୍ପାଞ୍ଚଳ ସବୁଠି ମାଳମାଳ ରୋଗୀ। ବର୍ଷକ ମଧ୍ୟରେ କାଳିଆପାଣି ଅଞ୍ଚଳରେ ଯକ୍ଷ୍ମାରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ତାଠୁ ଅଧିକ ଲୋକ କିଡନି ରୋଗରେ ମୃତ୍ୟୁବରଣ କରିଛନ୍ତି। ଅନେକ ଏବେ ବି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ। ସ୍ଥାନୀୟ ବସ୍ତି ଅଞ୍ଚଳରେ ମାଳମାଳ ଯକ୍ଷ୍ମାରୋଗୀ ରହୁଥିବାରୁ ଏହାର ବାୟୁମଣ୍ଡଳରେ ଯକ୍ଷ୍ମା ଜୀବାଣୁ ବ୍ୟାପିବାରେ ଲାଗିଛି। ଟାଣ ଖରାରେ ଯକ୍ଷ୍ମା ଜୀବାଣୁ ୧୨ ଘଣ୍ଟା ପର୍ୟ୍ୟନ୍ତ ସକ୍ରିୟ ରହିଥିବା ବେଳେ କୋହଲା ପାଗ ଓ ଥଣ୍ଡାଦିନେ ଏହା ବାୟୁରେ ୧୮ ରୁ ୨୪ ଘଣ୍ଟା ପର୍ୟ୍ୟନ୍ତ ସକ୍ରିୟ ରହନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଅନ୍ଧକାରପୂର୍ଣ୍ଣ ଓ ଶୀତଳ ଜଳବାୟୁରେ ଯକ୍ଷ୍ମା ଜୀବାଣୁ ୩ ରୁ ୪ ମାସ ଧରି ଜୀବନ୍ତ ରୁହନ୍ତି। ଏହି କାରଣରୁ କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ, ରାଁସୋଳ ଓ କାଙ୍କଡ଼ପାଳ ପଞ୍ଚାୟତର ବିଭିନ୍ନ ବସ୍ତି ଓ ଗାଁରେ ଦିନକୁ ଦିନ ଯକ୍ଷ୍ମା ବ୍ୟାପିବାରେ ଲାଗିଛି। ଏବେ ଯକ୍ଷ୍ମା ଦ୍ବାରା କବଳିତ। ଏଥିସହ କ୍ରୋମାଇଟ ଖଣିରୁ ବାହାରୁ ଥିବା ଧୂଳି ଯୋଗୁଁ ମଧ୍ୟ ରୋଗ ବ୍ୟାପୁଛି। କଣି ପାଶ୍ୱର୍ବର୍ତ୍ତୀ ଖଣି ମାନଙ୍କରେ ଯକ୍ଷ୍ମା ବ୍ୟାପୁଛି। ୭ବର୍ଷ ତଳେ ଆମେରିକାର ବ୍ଲାକ୍ସ୍ମିଥ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ସମ୍ପର୍କରେ ଉଲ୍ଲେଖ ରହିଥିଲା। ଏଥିରେ ସର୍ବାଧିକ ୧୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ରହିଥିବା ଦର୍ଶାଯାଇଥିଲା। ୨ ବର୍ଷ ତଳେ ଗ୍ରିନ୍ ପିସ୍ ଇଣ୍ଡିଆ ସମାନ ରିପୋର୍ଟ ପ୍ରଦାନ କରିଥିଲା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟ୍ ୨୦୧୮ ମସିହା ସର୍ଭେ ରିପୋର୍ଟ ଦର୍ଶାଇଥିଲା ଯେ, ସୁକିନ୍ଦାର ୭୦ ପ୍ରତିଶତ ଜଳ ଓ ଖଣି ପାଶ୍ୱର୍ସ୍ଥ ୨୮ ପ୍ରତିଶତ ଜମି କୃଷିକାର୍ୟ୍ୟ ପାଇଁ ଅନୁପଯୁକ୍ତ ଅଟେ। ବ୍ଲାକ୍ ସ୍ମିଥ୍ ଇନଷ୍ଟିଚ୍ୟୁଟ୍ ତଥ୍ୟ ଅନୁସାରେ ସୁକିନ୍ଦା କ୍ରୋମ୍ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦ୍ୱାରା ୩ କୋଟି ମେଟ୍ରିକ୍ ଟନରୁ ଅଧିକ ଉତ୍ତୋଳିତ ବର୍ଜ୍ୟ ମାଟି ଓ ଧାତବ ଖଣିଜ ପଦାର୍ଥ ପାରିପାଶ୍ୱିର୍କ ଅଞ୍ଚଳର ବିଭିନ୍ନ ଜମି, ଡମଶାଳ ନାଳ ଓ ବ୍ରାହ୍ମଣୀନଦୀ ଅବବାହିକାରେ ପଡ଼ି ରହିଛି। ଧାତବ କ୍ରୋମାଇଟ୍ ଜଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ମାରାତ୍ମକ ହେକ୍ସାଭାଲେଣ୍ଟ୍ କ୍ରୋମିୟମ୍ରେ ରୂପାନ୍ତରିତ ହୋଇଥାଏ। ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ରୋମ ଉପତ୍ୟକାରେ ବାୟୁ, ଜଳ ପ୍ରଦୂଷିତ ହେଉଛି। ଆଲର୍ଜି, ଅଲ୍ସର, ଗ୍ୟାଷ୍ଟ୍ରିକ୍, ମସ୍ତିଷ୍କ ରୋଗ, ଲିଭର୍ ଓ କିଡ୍ନି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସୁକିନ୍ଦାରେ ଯକ୍ଷ୍ମା ଓ କିଡନି ରୋଗ ଏବେ ମହାମାରୀର ରୂପ ନେଲାଣି। ଅଧିକାଂଶ ରୋଗୀ ଡାକ୍ତରଖାନା ନଯାଇପାରି ଘରେ ମୃତ୍ୟୁବରଣ କରୁଛନ୍ତି। ରୋଗାକ୍ରାନ୍ତ ହୋଇ ଲୋକେ ପ୍ରାଣ ହରାଉଥିବା ବେଳେ ସରକାରୀ କଳ ବେଫିକର। ଖଣି, କାରଖାନାର ଧୂଳୀ ଧୂଆଁ ଯୋଗୁଁ ଏଭଳି ହେଉଥିବା ବେଳେ ଚିର ନିଦ୍ରାରେ ଖଣି ମାଲିକ। ଆଉ କେତେ ଜୀବନ ଗଲା ପରେ ଚେତିବେ ବୋଲି ସାଧାରଣାରେ ପ୍ରଶ୍ନ ଉଠୁଛି।