ରୁଷିଆକୁ ସୁନାମି ସତର୍କତା ଜାରି

ଘଣ୍ଟାଏ ମଧ୍ୟରେ ରୁଷିଆରେ ୫ ଥର ଭୂକମ୍ପ: ସୁନାମି ସତର୍କତା ଜାରି

ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚ ଥର ଭୂକମ୍ପ ହୋଇଛି । ଏହି ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ରବିବାର ସମୁଦ୍ରରେ ଭୂକମ୍ପ ହେବା ପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ରୁଷିଆର କାମଚାଟକା ଉପଦ୍ୱୀପ ପାଇଁ ସୁନାମି ଚେତାବନୀ ଜାରି କରିଛି। ରବିବାର ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ୭.୪ ଥିଲା।ରୁଷିଆର ସବୁଠାରୁ ବଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ୨୦ କିଲୋମିଟର ଗଭୀରରେ ଥିଲା। ଏହି ସହରର ଜନସଂଖ୍ୟା ୧,୮୦,୦୦୦। ଏହାର କିଛି ମିନିଟ୍ ପୂର୍ବରୁ, ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା।

ଏହା ସହିତ ଆଉ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଧନଜୀବନ ହାନିର କୌଣସି ସୂଚନା ମିଳିନାହିଁ।ଆମେରିକା ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ତିନୋଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି, ଯେଉଁଥିରୁ ଗୋଟିଏର ତୀବ୍ରତା ୭.୪ ଥିଲା। ସେହି ସମୟରେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଉପକୂଳର ସମାନ ଅଞ୍ଚଳରେ ୩୨ ମିନିଟ୍ ବ୍ୟବଧାନରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା।ଆମେରିକାର ଜାତୀୟ ସୁନାମି କେନ୍ଦ୍ର ରୁଷିଆ ଏବଂ ଆମେରିକାର ହାୱାଇ ପାଇଁ ସୁନାମି ଚେତାବନୀ ଜାରି କରିଛି।