ଇରାନ ସହ ବଢୁଛି ବିବାଦ

​ଟ୍ରମ୍ପଙ୍କ ଚେତାବନୀ, ସମୁଦ୍ର ପଥ ନଖୋଲିଲେ ଭୟଙ୍କର ହେବ ପରିଣାମ

ଇରାନ ସହ ବଢୁଛି ବିବାଦ । ​ଟ୍ରମ୍ପଙ୍କ ଚେତାବନୀ, ସମୁଦ୍ର ପଥ ନଖୋଲିଲେ ଭୟଙ୍କର ହେବ ପରିଣାମ । ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ୪ହଜାର ୫୦୦ ସୈନ୍ୟ ପଠାଇଲା ଆମେରିକା । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କୁ ନେଇ ଉତ୍ତେଜନା ବଢୁଛି । ​’ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଜଳପଥରେ ଇରାନର କବଜା ଥିବାରୁ ତେଲ ଯୋଗାଣରେ ବାଧା ସୃଷ୍ଟି ହେଉଛି । ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ପଶ୍ଚିମ ଏସିଆକୁ ପ୍ରାୟ ୪ହଜାର ୫୦୦ ଅତିରିକ୍ତ ନୌସେନା ଓ ମାରିନ୍ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି । ଆମେରିକାର କାଲିଫର୍ଣ୍ଣିଆରୁ ‘ୟୁଏସ୍ଏସ୍ ବକ୍ସର’ ଯୁଦ୍ଧ ଜାହାଜ ସହିତ ପ୍ରଶିକ୍ଷିତ ସୈନ୍ୟଦଳ ବାହାରି ସାରିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ସୈନ୍ୟ ସେଠାରେ ପହଞ୍ଚି ସାରିଲେଣି। ବର୍ତ୍ତମାନ ପଶ୍ଚିମ ଏସିଆରେ ଆମେରିକାର ମୋଟ ସୈନ୍ୟ ସଂଖ୍ୟା ୫୦ହଜାରରୁ ଅଧିକ ହୋଇଛି । ​ବିଶ୍ୱର ପ୍ରାୟ ୨୦% ଅଶୋଧିତ ତେଲ ଏହି ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯାଏ ।

ଇରାନ ଏହି ରାସ୍ତାରେ ଡ୍ରୋନ୍ ଏବଂ ମିସାଇଲ୍ ମାଧ୍ୟମରେ ଆକ୍ରମଣ କରି ତେଲ ଜାହାଜ ଗୁଡ଼ିକୁ ଅଟକାଉଛି । ଫଳରେ ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଆମେରିକା ଚାହୁଁଛି ଯେକୌଣସି ପରିସ୍ଥିତିରେ ଏହି ଜଳପଥକୁ ଖୋଲା ରଖିବାକୁ । ଏଥିପାଇଁ ସେମାନେ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ସହ ଇରାନର ମୁଖ୍ୟ ତେଲ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ୱୀପ’ କୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇପାରନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ସେ ଜଳପଥକୁ ତୁରନ୍ତ ଖୋଲୁ । ଯଦିଓ ସେ ବଡ଼ ଧରଣର ସ୍ଥଳ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି, ତଥାପି ତେଲ ଯୋଗାଣ ସୁରକ୍ଷିତ ରଖିବା ପାଇଁ ଶକ୍ତି ପ୍ରୟୋଗ କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି । ଏହି ସାମରିକ ପ୍ରସ୍ତୁତି ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଛି । ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଶ୍ୱ ସମୁଦାୟ ଶାନ୍ତି ରକ୍ଷା ପାଇଁ ନିବେଦନ କରୁଛନ୍ତି ।

Leave a Reply

Your email address will not be published. Required fields are marked *