ଆମେରିକାରେ ପ୍ରବାସ ଉପରେ ଟ୍ରମ୍ପ ସରକାରଙ୍କ କଟକଣା

୪୧ଦେଶ ଉପରେ ଆମେରିକାର କଟକଣା

୪୧ ଦେଶ ଉପରେ କଟକଣା ଲଗାଇବ ଆମେରିକା। ପ୍ରତିବନ୍ଧକ ପାଇଁ ୪୧ ଦେଶକୁ ତିନି ଭାଗରେ ବିଭକ୍ତ କରିଛି। ଏହି ତାଲିକାରେ ପାକିସ୍ତାନର ନାମ ମଧ୍ୟ ସାମିଲ ଅଛି, ଯାହା ଫଳରେ ପାକିସ୍ତାନୀ ନାଗରିକଙ୍କ ପାଇଁ ଆମେରିକା ଯାତ୍ରା କରିବା କଷ୍ଟକର ହୋଇପାରେ ।୪୧ଟି ଦେଶକୁ ରେଡ୍‌, ଅରେଞ୍ଜ, ୟେଲୋ ୩ଟି କ୍ୟାଟେଗୋରୀରେ ଭାଗ କରାଯାଇଛି । ରେଡ୍‌ ବର୍ଗରେ ୧୧ ଦେଶ ରହିଛି, ଏହାର ନାଗରିକଙ୍କୁ ଆମେରିକା ଆସିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି । ଅରେଞ୍ଜ ବର୍ଗରେ ଥିବା ୧୦ ଦେଶ ପାଇଁ ଟୁରିଷ୍ଟ ଭିସା ବ୍ୟାନ୍ କରାଯାଇଛି । କେବଳ ବ୍ୟବସାୟୀଙ୍କୁ ଅନୁମତି ରହିଛି । ତେବେ ସ୍ଥଳବିଶେଷରେ ଏହି ଦେଶର ନାଗରିକମାନଙ୍କୁ ଯାତ୍ରା ଅନୁମତି ମିଳିପାରିବ । କିନ୍ତୁ କଟକଣା ବଳବତ୍ତର ରହିବ ।  ସେହିପରି ୟେଲୋ ଲିଷ୍ଟରେ ୨୦ ଦେଶ ଥିବାବେଳେ ଗସ୍ତର ୬୦ ଦିନ ଭିତରେ ସବୁ ପ୍ରମାଣ ଦେବାକୁ ଡ୍ରାଫ୍ଟରେ ପ୍ରାବଧାନ ରହିଥିବା ଜଣାପଡିଛି । ଏବେ କେବଳ ସେହି ଡ୍ରାଫ୍ଟ ଉପରେ ଚୂଡାନ୍ତ ମୋହର ବାଜିବା ବାକି ରହିଛି ।

ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ୭ଟି ମୁସଲିମ୍ ବହୁଳ ଦେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅଧିକାରୀଙ୍କ କହିବା କଥା, ଏଥର ଆମେରିକା ଯାତ୍ରା ପ୍ରତିବନ୍ଧକ ବ୍ୟାପକ ହେବ । ନ୍ୟୁଜ ଏଜେନ୍ସି ରୟଟର୍ସ ଅନୁସାରେ, ୪୧ ଦେଶ ମଧ୍ୟରେ ପାକିସ୍ତାନ ସମେତ ଆଫଗାନିସ୍ତାନ, ଭୁଟାନ ଓ ଋଷିଆ ସାମିଲ୍ ଅଛି, ଯାହା ଉପରେ ଯାତ୍ରା କଟକଣା ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି କରୁଛି ।ଡ୍ରାଫ୍ଟ ଅନୁସାରେ, ରେଡ୍ ଲିଷ୍ଟରେ ଥିବା ଦେଶଗୁଡିକ ହେଲେ ଆଫଗାନିସ୍ତାନ, କୁବା, ଇରାନ, ଲିବିୟା, ଉତ୍ତର କୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନେଜୁଏଲା ଓ ୟେମେନ ।ଅରେଞ୍ଜ ଲିଷ୍ଟରେ ପାକିସ୍ତାନ, ବେଲାରୁଷ, ଇରିଟ୍ରିଆ, ଋଷିଆ, ହାଇତି, ସିଏରା ଲିଓନ, ମିଆଁମାର, ଦକ୍ଷିଣ ସୁଦାନ, ଲାଓସ, ତୁର୍କମେନିସ୍ତାନ । ୟେଲୋ ଲିଷ୍ଟରେ ଅଙ୍ଗୋଲା, ଇକ୍ୱାଟୋରିଆଲ ଗୁନିଆ, ଆଣ୍ଟିଗୁଆ ଓ ବାରବୁଡା, ବେନିନ, ଗାମ୍ବିଆ, ଲିବେରିୟା, ମାଲାୱି, ମାଲି, କମ୍ବୋଡିଆ, ବୁର୍କିନା ଫୋସୋ ଇତ୍ୟାଦି । ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଜାତୀୟ ସୁରକ୍ଷା ସୁଦୃଢ କରିବାକୁ ଏଭଳି ପଦକ୍ଷେପ ନେଉଥିବା କୁହାଯାଇଛି ।