ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର

୩,୦୦୦ ଟଙ୍କାରେ ମିଳିବ ବର୍ଷିକିଆ ଟୋଲ ପାସ୍

ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ମିଳିବ ବର୍ଷିକିଆ ଏବଂ ଲାଇଫଟାଇମ୍ ଟୋଲ ପାସ୍ ସୁବିଧା। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ମାତ୍ର ୩,୦୦୦ ଟଙ୍କା ଦେଇ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିପାରିବ । ମାତ୍ର ୩୦,୦୦୦ ଟଙ୍କାରେ ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ଉପଲବ୍ଧ ହେବ । ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କର ଖର୍ଚ୍ଚ କିଛି ପରିମାଣରେ କମ୍ ହୋଇପାରିବ । ଟୋଲ ପ୍ଲାଜାରେ ଭିଡ଼ ମଧ୍ୟ କମ୍ ହେବ । ଏହାକୁ ନେଇ ମନ୍ତ୍ରଣାଳୟ କାର୍ ପାଇଁ ପ୍ରତି କିଲୋମିଟର ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହି ପ୍ରସ୍ତାବ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି । ଏହା ଲାଗୁ ହେବା ପରେ ହାଇୱେରେ ଯିବାଆସିବା କରୁଥିବା ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିବ  । ଏଥପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ପଡିବ ନାହିଁ । ଏହାକୁ ଫାସଟାଗ୍ ସହିତ ଲିଙ୍କ କରାଯିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଟୋଲ ପ୍ଲାଜାରେ ପାସ୍ ଯୋଜନା ଉପରେ କାମ ଚାଲିଛି । ଅପରପକ୍ଷରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ନଗଦବିହୀନ ଚିକିତ୍ସା ସେବା ମଧ୍ୟ ମିଳିବ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି । ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ । ଏହି ଯୋଜନାରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇପାରିବେ । ବର୍ତ୍ତମାନ କେବଳ ଏକ ମାସିକିଆ ପାସ୍ ଉପଲବ୍ଧ ଅଛି । ଯାହାର ମୂଲ୍ୟ ପ୍ରତି ମାସରେ ପ୍ରାୟ ୩୪୦ ଟଙ୍କା । ଯେଉଁଥିରେ ଉପଭୋକ୍ତାଙ୍କୁ ବର୍ଷକୁ ୪,୦୮୦   ଟଙ୍କା ଦେବାକୁ ପଡୁଛି ।