ପଞ୍ଜାବ ଓ ଜମ୍ମୁର ବର୍ଡର ଏରିଆରେ ରାତିରେ ଟ୍ରେନ ଚଳାଚଳ ବନ୍ଦ
‘ଅପରେସନ ସିନ୍ଦୂର’ ପରେ ସାଧାରଣ ଭାରତୀୟ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ । ରାତିରେ ଲଗାତାର ଭାରତ ସୀମାରେ ଘନ ଘନ ଡ୍ରୋନ, ମିସାଇଲ ଆକ୍ରମଣ କରୁଛି । ଗତକାଲି ରାତିରେ ପାକ୍ ସେନା ଭାରତର ୨୬ରୁ ଅଧିକ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଜମ୍ମୁରେ ମେଡିକାଲ୍ ଓ ସ୍କୁଲ୍କୁ ବି ଟାର୍ଗେଟ କରିଥିଲା । ପାକିସ୍ତାନ ପକ୍ଷରୁ ଜନବସତି ଉପରକୁ ଏଭଳି ଭାବେ ଆକ୍ରମଣ କରାଯିବାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଏକ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନକୁ ଲାଗିଥିବା ଜମ୍ମୁ ଓ ପଞ୍ଜାବର ସୀମା ଦେଇ ରାତିରେ କୌଣସି ଟ୍ରେନ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ସୂଚନା ମୁତାବକ, ପଞ୍ଜାବ ଓ ଜମ୍ମୁର ବର୍ଡର ଏରିଆରେ ରାତିରେ କୌଣସି ଟ୍ରେନ ଚଳାଚଳ କରିବନି । ଅମୃତସର, ଭଟିଣ୍ଡା, ଫିରୋଜପୁର, ଜମ୍ମୁ ଆଦି ସ୍ଥାନ ଦେଇ ରାତିରେ ଚଳାଚଳ କରୁଥିବା ଟ୍ରେନଗୁଡିକର ସମୟ ରିସିଡ୍ୟୁଲ କରାଯିବ । ରାତିରେ ଯାଉଥିବା ଟ୍ରେନଗୁଡିକୁ ରିସିଡ୍ୟୁଲ କରାଯାଇ ସକାଳ ବେଳା ଚଲାଯିବ । ପାକିସ୍ତାନ ସୀମାନ୍ତ ରାଜ୍ୟଗୁଡିକୁ ଟାର୍ଗେଟ୍ କରୁଥିବାରୁ ସୁରକ୍ଷା ଦୃଷ୍ଟିରେ ରେଲୱେ ଏହି ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।
