କାଲି ପୃଥିବୀ ପୃଷ୍ଠରେ ପହଞ୍ଚିବେ ସୁନୀତା ୱିଲିୟମ୍ସ

ଆଜି ମହାକାଶରୁ ପୃଥିବୀ ଅଭିମୁଖେ ବାହାରିବେ ସୁନୀତା ୱିଲିୟମ୍ସ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସୂଚୀ ପ୍ରକାଶ କରାଯାଇଛି। ୱିଲିୟମ୍ସ ଓ ୱିଲ୍ମୋର ମାର୍ଚ୍ଚ ୧୮,୨୦୨୫ ମଙ୍ଗଳବାର ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲରେ ଆଇଏସ୍ଏସ୍‌ରୁ ବାହାରି ପୃଥିବୀକୁ ଯାତ୍ରା ଆରମ୍ଭ କରିବେ। ଏହି ମହାକାଶଯାନ ଆମେରିକୀୟ ଇଷ୍ଟର୍ଣ୍ଣ ଟାଇମ୍ (ଇଟି) ରାତ୍ରି ପ୍ରାୟ ୧ଟା ୫ ମିନିଟ୍‌ (ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ ମିନିଟ୍‌)ରେ ଆଇଏସ୍ଏସ୍‌ରୁ ବାହାରିବାର କାର୍ଯ୍ୟକ୍ରମ ରହିଛି ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୫ଟା ୫୭ ମିନିଟ୍ (ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍‌)ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି। ଅର୍ଥାତ୍‌ ସେମାନଙ୍କୁ ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀରେ ପହଞ୍ଚିବା ଲାଗି ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ।

‘ନାସା’ ସମଗ୍ର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ ତାହାର ଟିଭି, ଅଫିସିଆଲ୍‌ ୱେବ୍‌ସାଇଟ୍ ଓ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ କରିବ। ‌ମହାକାଶଚାରୀମାନେ ଫ୍ଲୋରିଡ଼ା ସମୁଦ୍ର ଉପକୂ‌ଳରେ ଅବତରଣ କରିବେ। ସଂପ୍ରତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁକୂଳ ପାଗକୁ ଦେଖି ଅବତରଣ ଆଗୁଆ କରିବା ପାଇଁ ନାସା ନିଷ୍ପତ୍ତି ନେଇଛି। ଫ୍ଲୋରିଡ଼ାରେ ଅବତରଣ କରିବା ପରେ ମହାକାଶଚାରୀମାନଙ୍କୁ ନାସାର ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟରକୁ ନିଆଯିବ। ଏହି ସେଣ୍ଟର ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ରହିଛି। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷାନିରୀକ୍ଷା କରାଯିବ। ଏହାପରେ ରିକଭରି ପ୍ରୋଟୋକଲ୍‌ ଅନୁସାରେ ସେମାନେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବେ। ପରବର୍ତ୍ତୀ ସମୟରେ ସେମାନେ ମହାକାଶ କେନ୍ଦ୍ରରେ ଦୀର୍ଘକାଳ ରହଣିର ଅନୁଭୂତି ସଂପର୍କରେ ବଖାଣିବେ।