ଆଜି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ

ଉତ୍କଳମଣିଙ୍କୁ କୋଟି ନମନ

“ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ,
ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।” ଏହି କଥାଟି ଆପଣଙ୍କୁ ନିଶ୍ଚିତ ଜଣଙ୍କ କଥା ମନେ ପକାଇ ଦେଉଥିବ। ସେ ଆଉ କେହି ନୁହନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ । ଆଜି ସେହି ମହାନ ଆତ୍ମାଙ୍କ ଜନ୍ମଜୟନ୍ତୀ। ଯାହାଙ୍କ ହୃଦୟ ଦିନେ ପର ପାଇଁ କାନ୍ଦୁଥିଲା । ଯାହାଙ୍କ ପାଇଁ ସେବା ଥିଲା ସବୁକିଛି , ଯେଉଁ ମାନବ ସେବା ପାଇଁ ଦିନେ ପୁଅକୁ ମଧ୍ୟ ପର କରିଦେଇଥିଲେ ।

ଜାତୀୟତାବାଦୀ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା, ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା, ବାଗ୍ମୀ ଉତ୍କଳମଣି ଗୋପବନ୍ଧୁ ଦାସ । ନୈତିକତାସମ୍ପନ୍ନ ରାଜନୀତି, ସାହିତ୍ୟ, ସାମ୍ବାଦିକତାର କିମ୍ବଦନ୍ତୀ ପୁରୁଷ ପୁଣ୍ୟାତ୍ମା ଗୋପବନ୍ଧୁ । ୧୮୭୭ ମସିହା ଅକ୍ଟୋବର ୯ରେ ପୁରୀ ଜିଲ୍ଲାର ସୋଆଣ୍ଡୋରେ ଜନ୍ମଲାଭ କରିଥିଲୋ ଗୋପବନ୍ଧୁ । ତେବେ ଆଜି ସେହି ମହାନ ବ୍ୟକ୍ତିତ୍ବଙ୍କୁ ଝୁରୁଛି ସାରା ଓଡ଼ିଶା। ଯାହାଙ୍କ ବଳିଦାନ ଆଜି ବି ସଭିଙ୍କୁ ଜାଗ୍ରତ କରେ । ସେହି ମହାନ ଆତ୍ମାଙ୍କ ଜନ୍ମଜୟନ୍ତୀ ଅବସରରେ ଯଯାତି ଏକ୍ସପ୍ରେସ ପରିବାର ଜଣାଉଛି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।