ଆଜି ପଞ୍ଚୁ ଦୋଳ, ଦୋଳବେଦିରେ ପାଞ୍ଜି ପଢ଼ା
ଆଜି ହେଉଛି ପଞ୍ଚୁ ଦୋଳ। ଦୋଳବେଦିରେ ହେବ ପାଞ୍ଜିପଢ଼ା। ବର୍ଷ ଆରମ୍ଭରୁ ଗ୍ରହମାନଙ୍କର ଶୁଭ ଦୃଷ୍ଟି ଓଡ଼ିଶା ଉପରେ ରହିବ। ରାଜ୍ୟ ମଧ୍ୟରେ ରାଜନୈତିକ ସ୍ଥିରତା ରହିବ। ତେବେ ବିରୋଧୀମାନେ ଅଧିକ ସକ୍ରିୟ ହେବେ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବ। ବିକାଶ ଧାରାରେ ଓଡ଼ିଶା ଆଗକୁ ବଢ଼ୁଥିବା ବେଳେ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବ। ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେବ। କୃଷି ଉତ୍ପାଦନ ପ୍ରଭାବିତ ହେବ। ପନିପରିବା, ଖାଦ୍ୟଶସ୍ୟର ଉତ୍ପାଦନ ଅପେକ୍ଷାକୃତ ହ୍ରାସ ପାଇବ। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟର ଅଭାବ ଦେଖାଯିବ। ପେଟ୍ରୋଲଜାତ ଦ୍ରବ୍ୟ, ମଟରଯାନ, ବିଦ୍ୟୁତ୍ ଉପକରଣ ଓ ଗୃହ ଉପକରଣର ମୂଲ୍ୟ ବୃଦ୍ଧି ହେତୁ ଜନଅସନ୍ତୋଷ ସୃଷ୍ଟି ହୋଇପାରେ। ସଡ଼କପଥ ଓ ଆକାଶପଥରେ କିଛି ବିପଦପୂର୍ଣ୍ଣ ସ୍ଥିତି ରହିଛି। ଅଜଣା ରୋଗ ପାଇଁ କିଛି ଅଞ୍ଚଳବାସୀ କ୍ଷତିଗ୍ରସ୍ତ ହେବେ। ତା’ସତ୍ତ୍ବେ ବୈଜ୍ଞାନିକ ଗବେଷଣା ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପ୍ରଶଂସା ସାଉଁଟିବ। ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରୁ ପ୍ରଚଳିତ ହେବାକୁ ଯାଉଥିବା ନୂତନ ପାଞ୍ଜିରେ ପାଞ୍ଜିଗଣକମାନେ ଏଭଳି ଭବିଷ୍ୟବାଣୀ କରିଛନ୍ତି।
ଓଡ଼ିଶା କୋହେନୂର ପ୍ରେସ୍ ପଞ୍ଜିକା ଅନୁଯାୟୀ ପ୍ରତି କ୍ଷେତ୍ରରେ ଭାରତ ସଫଳତା ହାସଲ କରିବ। ବାଣିଜ୍ୟ କାରବାର, ବୈଦେଶିକ ସମ୍ପର୍କରେ ଉନ୍ନତି ହେବ। ଦେଶର ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ। କୃଷି ଉତ୍ପାଦନ ହ୍ରାସ ପାଇବା ସହ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ହୋଇପାରେ। ଦରଦାମ ବୃଦ୍ଧିର ସମ୍ଭାବନା ରହିଛି। ବିମାନ, ବସ୍ ଓ ଟ୍ରେନ୍ ଦୁର୍ଘଟଣା ଆଶଙ୍କା ରହିଛି। କେନ୍ଦ୍ର ସରକାରଙ୍କ ରାଜନୈତିକ ସ୍ଥିରତା ମଧ୍ୟରେ ପ୍ରତି ରାଜ୍ୟ ଉନ୍ନତି ପାଇଁ ଅର୍ଥନୈତିକ ସହାୟତା ଓ ନିୟମ ପ୍ରଚଳନ କରିବେ। କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପ୍ରଶଂସନୀୟ ହେବ। ରାଜ୍ୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ଏହିବର୍ଷ ବିଶ୍ୱରେ ପ୍ରଭାବଶାଳୀ ଦେଶଙ୍କ ମଧ୍ୟରେ ସୁସମ୍ପର୍କ ସହ ଅର୍ଥନୈତିକ ବିକାଶ ପାଇଁ ପାରସ୍ପରିକ ବୁଝାମଣା ଅକ୍ଷୁଣ୍ଣ ରହିବ। ଯୁଦ୍ଧର ଅବସାନ ପାଇଁ ଉଦ୍ୟମ ଜାରି ରହିବ। କିଛି ଦେଶରେ ରାଜନୈତିକ ପରିସ୍ଥିତି ଉଦ୍ବେଗଜନକ ରହିବ। ବିକଶିତ ଦେଶଗୁଡ଼ିକ ସାମରିକ ଓ ପ୍ରତିରକ୍ଷା ବିଭାଗକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବେ। ବର୍ଷର ମଧ୍ୟମ ଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ କାରଣରୁ ଧନଜୀବନ ନଷ୍ଟ ହୋଇପାରେ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ଦ୍ବାରା ଜନ ଅସନ୍ତୋଷ ସୃଷ୍ଟି ହେବ।
ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ଦର୍ଶାଯାଇଛି ଯେ ଶାସନରେ ସ୍ଥିରତା, ଶୃଙ୍ଖଳା ଓ ଦକ୍ଷତା ହ୍ରାସ ପାଇବ। କମ୍ ଶସ୍ୟ, ଖଣ୍ଡ ବୃଷ୍ଟି, ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବ। ଝଡ଼ବାତ୍ୟା ଓ କମ୍ ବୃଷ୍ଟିପାତ ହେବ। ଶାସକମାନଙ୍କ ମଧ୍ୟରେ ବିବାଦ ଲାଗିରହିବ। ସାମରିକ ଉତ୍ତେଜନା ବୃଦ୍ଧି, ଯୁଦ୍ଧାସ୍ତ୍ର ଉତ୍ପାଦନ ବୃଦ୍ଧି, ଯାନବାହନ ଓ ଯାନ୍ତ୍ରିକ ଦୁର୍ଘଟଣା ବୃଦ୍ଧି, ସୌରତାପଜନିତ ପୀଡ଼ା, ଆଗ୍ନେୟ ଉତ୍ପାତ ବୃଦ୍ଧି ହେବ। ଜୁଲାଇ ୧୩ରୁ ନଭେମ୍ବର ୨୮ ମଧ୍ୟରେ ବିଶ୍ବରେ ଶାନ୍ତି, ସମୃଦ୍ଧି ପ୍ରଭାବିତ ହେବ। ଯୁଦ୍ଧ ଭୟ ବି ରହିଛି। ଝଡ଼ବାତ୍ୟା, ବର୍ଷା, ଭୂସ୍ଖଳନ, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସହ ଯାନ୍ତ୍ରିକ ଦୁର୍ଘଟଣା, ସାମ୍ପ୍ରଦାୟିକ ବିଦ୍ବେଷ, ରାଜନୈତିକ ହଟଚମଟ ହୋଇପାରେ। ଝଡ଼ବର୍ଷା, ବାୟୁବାହିତ ଓ ବାୟୁଜନିତ ରୋଗ, ବାୟୁ ପ୍ରଦୂଷଣ, ଦୁର୍ଘଟଣା ବଢ଼ିବ। ପ୍ରାକୃତିକ ଦୁର୍ବିପାକ ଦ୍ବାରା ଶସ୍ୟହାନି ହେବ। ଏଥର ମୌସୁମୀ ଶସ୍ୟ ପାଇଁ ହାନିକାରକ ରହିବ। ଦେଶରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ, ସାଂସ୍କୃତିକ ଜୀବନରେ ସଂସ୍କାର, ରାଜନୈତିକ ଉତ୍ତେଜନା, ଶାସନ ବ୍ୟବସ୍ଥାରେ ଅଦଳବଦଳ, ବିଚାର ବିଭାଗରେ ସୁଧାର, ଟିକସ ନିୟମରେ ପରିବର୍ତ୍ତନ, କଳାଧନ ବାଜ୍ୟାପ୍ତିରେ ସଫଳତା ମିଳିପାରେ।
