କାଳ ସାଜିଲା ଅନଲାଇନ ଗେମ୍ !

ଆଜିକାଲିର ପିଲାଙ୍କୁ ଘାରିଛି ଅନଲାଇନ ଗେମ୍ । ହେଲେ ଏହି ଅନଲାଇନ ଗେମ୍ ଆଜି କାଳ ସାଜିଛି । ନେଇଛି ଏକ ନିରୀହ ଜୀବନ । ଗେମ୍ ଖେଳି ଲକ୍ଷାଧିକ ଟଙ୍କା ସାରିବା ପରେ ଆତ୍ମହତ୍ୟାକୁ ବାଛିନେଲେ ଛାତ୍ରଜଣଙ୍କ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ୍‌ ଅଞ୍ଚଳରେ। ମୃତ ଛାତ୍ର ଜଣଙ୍କ ହେଲେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।

ପୁରା ଖବର ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁରର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ଉଦୟ । ସେ ସବୁବେଳେ ଅନଲାଇନରେ ଗେମ୍‌ରେ ବ୍ୟସ୍ତ ରହୁଥିଲେ। ଗତ ଦୁଇଦିନ ତଳେ ଉଦୟ ଘରକୁ ବୁଲିବାକୁ ଆସିଥିଲେ। ଘରେ ରହିବା ବେଳେ ସେ ଗେମବି ଖେଳୁଥିଲେ। ଯାହାକୁ ନେଇ ମା’ ତାଙ୍କୁ ଅନେକ ବାରଣ ମଧ୍ୟ କରିଥିଲେ। କିନ୍ତୁ ଉଦୟ ମା’ଙ୍କ କଥାକୁ ଶୁଣି ନଥିଲେ। ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ। ଅନଲାଇନ ଗେମ୍ ଖେଳି ଉଦୟ ଅନେକ ଟଙ୍କା ହରାଇଛନ୍ତି। ଏଥିପାଇଁ ଗେମ୍ ନ ଖେଳିବା ପାଇଁ ପରିବାର ଲୋକେ ତାଗିଦ କରିଥିଲେ। ହେଲେ ଉଦୟ କାହା କଥା ନ ଶୁଣି ଗେମ୍ ଖେଳୁଥିଲେ। ହେଲେ ଏହି ଗେମ ଯେ ଟଙ୍କା ପାଇଁ କାଳ ସାଜିବ ଏକଥା କାହାକୁ ବା ଜଣାଥିଲା ।

ସବୁଦିନ ପରି ଉଦୟ ଖାଇପିଇ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ଉଦୟଙ୍କ ମା’ ରୁମ୍‌ର କବାଟ ଖୋଲିଦେବାରୁ ପୁଅ ଫ୍ୟାନରେ ଝୁଳୁଛି । ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ସହାୟତାରେ ଉଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି lଅନଲାଇନ ଗେମର କରୁଣ ପରିଣତି ଏପରି ଚରମ ସୀମାରେ ପହଞ୍ଚିବ ତାହା କେହି ବିଶ୍ବାସ ବି କରିପାରୁନାହାନ୍ତି । ତେବେ ଯେତେ ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ ଆଉ ସତର୍କ ରୁହନ୍ତୁ ।