ଗଜପତିରେ ବାଘ ମାତିଛି !

କ୍ୟାମେରାରେ ଟ୍ରାପ୍ ହୋଇଛି ମହାବଳ !

ଗଜପତିରେ ବାଘ ମାତିଛି । ସନ୍ଧ୍ଯା ହେଲେ ପଡୁଛି ତାଟି କବାଟ । ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବାଘ ବୁଲୁଥିବାର ଦ୍ରୁଶ୍ଯ ସାମ୍ନାକୁ ଆସିଛି , ଯାହାକୁ ନେଇ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଗତ ୧୮ ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦୃଶ୍ୟ ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଆଖପାଖ ଅଞ୍ଚଳରେ ୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା।

ଆଜି ଟ୍ରାପ କ୍ୟାମେରାରେ ମିଳିଛି ବାଘର ଉପସ୍ଥିତି । ଗୋଟିଏ କ୍ୟାମେରାରେ ବାଘର ଫୋଟୋ ଦେଖିବାକୁ ମିଳିଛି । ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି। ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ। ହେଲେ ବାଘ ଭୟରେ ଲୋକେ ଏବେ ସଂପୂର୍ଣ୍ଣ ଆତଙ୍କିତ । କେଉଁ ମୁହୂର୍ତ୍ତରେ ଗାଁରେ ପଶି ମଣିଷ ମାରିବ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ ।