୮ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା

୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା

ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ । ତେବେ, ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ପୁର୍ନବାର ସକ୍ରିୟ ହୋଇପଡ଼ିଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ସେପ୍ଟେମ୍ବର, ସୋମବାର ଅପରାହ୍ନ ମଧ୍ୟରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବା ବେଳେ ୧୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଯାଜପୁର, ଖୋର୍ଦ୍ଧା, ଢ଼େଙ୍ଗାନାଳ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ନୟାଗଡ଼, ଅନୁଗୁଳ ଓ କଳାହାଣ୍ଡି ପ୍ରଭୃତି ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ମେଘୁଆ ରହିଛି।