ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ
ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ । କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ। ବାହାର କାଠ ନିକଟରେ ଯାତ୍ରୀଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ ନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି । ଅର୍ଥ ଆଦାୟ ସହ ନିଜ ନିଜର ଭିତରେ ମାରପିଟ ଓ ଗଣ୍ଡଗୋଳ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଦୁଇ ସେବାୟତ ।ଏହା ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ତଥା ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା । ଏନେଇ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ଯ ପ୍ରଶାସକ । ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାରକୁ ପ୍ରରୋଚନା କରିଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ନିଲମ୍ବନ କରାଯାଇଛି ।ଦୁଇ ମାସ ପାଇଁ ତାଙ୍କୁ ସେବାକାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସସପେଣ୍ଡ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କଲେ ନିଲମ୍ବନ ଅବଧି ବୃଦ୍ଧି କରାଯିବ । ଏହା ସହ ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
