ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଆଜି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ

ଭକ୍ତବତ୍ସଳ କାଳିଆ ସାଆନ୍ତଙ୍କୁ ଭାବ ଡୋରିରେ ଜନ୍ମବେଦିକୁ ଟାଣି ଆଣିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଜନ୍ମବେଦି ସମ୍ମୁଖରେ ଉଭା ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଆଜି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦେଖିବା ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଆଡ଼ପ ବିଜେ କରିବେ। ଅପରାହ୍ନ ସାଢ଼େ ୩ରୁ ସାଢ଼େ ୪ଟା ମଧ୍ୟରେ ଭୋଇ ସେବକମାନଙ୍କୁ ଘୋଡ଼ା ଓହ୍ଲାଇବା ସହ ଚାରମାଳ ବାନ୍ଧିବା ପାଇଁ ନିର୍ଦ୍ଦେଶ ରହିଛି। ଅପରାହ୍ନ ସାଢ଼େ ୪ରୁ ସାଢ଼େ ୫ଟା ମଧ୍ୟରେ ଆଡ଼ପ ପହଣ୍ଡି ବିଧି ମୁତାବକ କରାଯିବ। ଏଥିସହ ଆଡ଼ପ ଅବଢ଼ା ପାଇଁ ଅପେକ୍ଷାରତ ଭକ୍ତମାନେ ୩୦ ତାରିଖରେ ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପ୍ରାପ୍ତ ହେବେ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।