ଏଥର ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ

୯ ଦିନରେ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ

ସରିଲା କଟକର ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ହୋଇଛି ରେକର୍ଡ ବ୍ୟବସାୟ। ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା । ମେଳାର ତଳ ଓ ଉପର ପଡିଆରେ ଆୟୋଜିତ ବଡ଼ରୁ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଶେଷକରି ତଳ ବାଲିଯାତ୍ରା ପଡିଆରେ ଓରମାସ ପକ୍ଷରୁ ହୋଇଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ୯ ଦିନ ମଧ୍ୟରେ ୩୭ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଏଥର ଓରମାସ ମେଳାରେ ୪୨୦ ଷ୍ଟଲ ଓ ୫୦ରୁ ଅଧିକ ମୁକ୍ତାକାଶ ବ୍ୟବସାୟିକ ଷ୍ଟଲ ଖୋଲା ଯାଇଥିଲା । ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଏନଜିଓ ସହିତ ୨୨ ରାଜ୍ୟର ବ୍ୟବସାୟୀ ଏଥିରେ ଭାଗ ନେଇଥିଲେ । ମେଳାରେ ପ୍ରାୟ ୨୦ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା । ୨୦୨୨ରେ ଏହି ମେଳାରୁ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିଛି । ଆସନ୍ତା ବର୍ଷ ଏହି ମେଳାକୁ ଆହୁରି ଅଧିକ ନୂତନ ସାମଗ୍ରୀ ଅଣାଯିବା ସହିତ ମହିଳାଙ୍କ ଉତ୍ପାଦକୁ ବିକ୍ରି ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏଥର କଟକ ଇନ କଟକରେ ଗ୍ରାମୀଣ କଟକ, ଏଲଇଡ଼ି ବୋଇତ, ଚିତ୍ରକଳା ଉତ୍ସବ, ମହାନଦୀ ଜଳକ୍ରୀଡା, ଅଣ୍ଡର ୱାଟର ଫିସ ଆକ୍ୟୁରିୟମ, ଓଲିଉଡ଼ ବଲିଉଡ଼ ନାଇଟ ଆକର୍ଷଣର କେନ୍ଦ୍ର ପାଲଟିଥିଲା ।