ନିଜ ଦଳରେ ସୌମ୍ୟଙ୍କ ବିରୋଧୀ ଅନେକ !

ପ୍ରେସମିଟ କରି ଜବାବ ରଖିଲେ ସୌମ୍ୟ, ମନ୍ତ୍ରୀ ନୁହେଁ ସଚିବଙ୍କ ଉପରେ ନବୀନଙ୍କ ଭରସା !

ପୁଣି 5t ସଚିବ ଭିକେ ପାଣ୍ଡିଆନଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକ। କେଉଁଠି ନା କେଉଁଠି ରାଜନୀତିରୁ ଉର୍ଦ୍ଧ୍ବରେ ରହି ସୌମ୍ଯ ବାବୁଙ୍କ ଆଲେଖ୍ୟ ନିଜ ଦଳ ବିଜେଡିକୁ ଘାଇଲା କରୁଥିବା ବେଳେ ଦଳୀୟ ନେତାଙ୍କ ଟାର୍ଗେଟ ହୋଇଛନ୍ତି ସୌମ୍ଯ। ଗତକାଲି ଅତନୁ ସବ୍ୟସାଚୀଙ୍କ ପରେ ପ୍ରତାପ ଦେବ ମଧ୍ୟ ସୌମ୍ୟଙ୍କୁ ଶାଣିତ ସମାଲୋଚନା କରିଛନ୍ତି । କହିଛନ୍ତି ପ୍ରଥମେ ଦଳ ଛାଡନ୍ତୁ ପରେ ଯେତେ ଲେଖିବାର ଅଛି ଲେଖନ୍ତୁ । ସେପଟେ ଏହାକୁ ନେଇ ପ୍ରେସମିଟ୍ କରି ପ୍ରତାପଙ୍କୁ କଡା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡିରେ ରହି ଗର୍ବ ଅନୁଭବ କରେ, ଦଳ ଛାଡିବାର ନାହିଁ , ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି?

ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ ବୋଲି କହିଛନ୍ତି ସୌମ୍ଯରଞ୍ଜନ ପଟ୍ଟନାୟକ । ଖାଲି ସେତିକି ନୁହେଁ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ସୌମ୍ୟ କହିଛନ୍ତି,  ସିଏମଓ ଲୋକଙ୍କ ପାଖକୁ ଆସିଛି ବୋଲି କୁହାଗଲା । କିନ୍ତୁ ସିଏମଓରୁ ତ ଆଉ କେହି ଯାଉନାହାନ୍ତି,  କଣ ସେହି ଗୋଟିଏ ଲୋକ ଅଛନ୍ତି । ଯିଏ ସିଏମଓ କଥା ବୁଝୁଛନ୍ତି, ସରକାରୀ କଥା ବୁଝୁଛନ୍ତି, ସାଧାରଣ ଲୋକଙ୍କ ସୁଖ ଦୁଃଖ କଥା ବୁଝୁଛି । ଏହା କଣ ସାଧାରଣ ଲୋକଙ୍କ ପାଇଁ ଅପମାନଜନକ ନୁହେଁ କି? ସେଥିପାଇଁ ତ ଲେଖିଥିଲି ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା । ମନ୍ତ୍ରୀଙ୍କ ଦ୍ୱାରା ଶାଗ ସିଝିବନି, ସେମାନେ ଅସହାୟ ବୋଲି ଉତ୍ତର ଦେଉନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଶ୍ୱାସ କରୁନାହାନ୍ତି । କେବଳ ଜଣିଏ ଲୋକ ଅଛି ଯାହା ଉପରେ ସେ ବିଶ୍ୱାସ କରୁଛନ୍ତି । ତେବେ ସୌମ୍ୟଙ୍କ ଏପରି କଟୁ ଉକ୍ତି ଆଗାମୀ ଦିନରେ କେଉଁ ସମୀକରଣ ତିଆରି କରୁଛି ଦେଖିବାକୁ ବାକି ରହିଲା ।