ଭୁଲ ଅପରେସନ ନେଇଗଲା ଜୀବନ । କାଳ ସାଜିଲା ଫ୍ୟାମିଲି ପ୍ଲାନିଂ ଅପରେସନ । ଆଉ ଏହି ଅପରେସନ ପାଇଁ ଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ । ତେବେ ଔପଡା ଥାନା ଗଡ଼ସାହି ଗାଁର ଯଶୋବନ୍ତ ବାରିକଙ୍କ ସ୍ତ୍ରୀ ଜୟନ୍ତୀ ଆଗରପଡା ଥାନା ରାଉତରାପୁରକୁ ଆସି ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଅସ୍ତ୍ରୋପ୍ରଚାର ଶିବିରରେ ଅସ୍ତ୍ରୋପ୍ରଚାର କରାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା, ପୁଣି ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।
ଆଉ ଥରେ ଜଯନ୍ତୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ,ମାତ୍ର ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଜୟନ୍ତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଭୁଲ ଅପରେସନ ପାଇଁ ଏମିତି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ କହିଛନ୍ତି । ଭୁଲ ଅପରେସନ ପାଇଁ ଜଯନ୍ତୀଙ୍କ ଜୀବନ ଯାଇଥିବା କୁହାଯାଉଥିବା ବେଳେ ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।