୧୬ଟି କାର୍ଯ୍ୟଦିବସ ଥାଇ ବିଧାନସଭା ମୁଲତବୀ

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

ବିଧାନସଭାର ଶୀତ ଅଧିବେଶନକୁ ୧୬ଟି କାର୍ଯ୍ୟଦିବସ ଥାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ପ୍ରାୟ ୨୦ଦିନ ପୂର୍ବରୁ ଗୃହକୁ ମୁଲତବୀ କରାଯାଇଛି ଓ ମାତ୍ର ୧୨ଦିନ ଗୃହ ଚାଲିବା ସମ୍ଭବପର ହୋଇପାରିଛି । ବିଗତ ୩ଦିନ ଧରି ଗୃହର ଦ୍ୱିତୀୟାର୍ଦ୍ଧ ବିନା କାର୍ଯ୍ୟସୂଚୀ ପରିଚାଳିତ ହେଉଥିଲା ।ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଶୀତ ଅଧିବେଶନ ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହକୁ ମୁଲତବୀ କରାଯାଇଛି । ଚଳିତ ଅଧିବେଶନରେ ଜିଏସଟି ବିଲ୍ , ଓଡ଼ିଶା ବିନିଯୋଗ(ସଂଖ୍ୟା ୨) ବିଲ ଏବଂ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ ସାଧନର ନିବାରଣ) ବିଲ-୨୦୨୪ ଆଗତ ଓ ପାରିତ ହୋଇଛି । ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪କୁ ଗୃହରେ ସରକାର ଗୃହରେ ଆଗତ କରିଥିଲେ ମଧ୍ୟ ଏହା ଉପରେ ଆଲୋଚନା କରିନାହାନ୍ତି । ବିଜେଡି ବିଧାୟକମାନଙ୍କ ବିରୋଧ ଓ ଅନ୍ୟ କେତେକ କାରଣରୁ ସରକାର ଏହି ବିଲକୁ ଚଳିତ ଅଧିବେଶନରେ ପାରିତ କରାଇବାକୁ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି ।

ଚଳିତ ଅଧିବେଶନରେ ୧୨ଦିନ ଗୃହ ଚାଲିଥିଲେ ମଧ୍ୟ ସେଥିରୁ ମାତ୍ର ୭ଟି କାର୍ଯ୍ୟଦିବସ ରହିଥିଲା । ସର୍ବଭାରତୀୟ ଡିଜି ସମ୍ମିଳନୀ ପାଇଁ ଗୃହ ୨ଦିନ ମୁଲତବୀ ରହିଥିଲା । ଗୃହରେ ଚଳିତ ଅଧିବେଶନରେ ୨୪ଟି ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିବାବେଳେ ୧୭୫୦ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଲିଖିତ ଆକାରରେ ଦିଆଯାଇଛି । ତା’ଛଡ଼ା ବିଧାୟକମାନଙ୍କର ୨୨୯୫ଟି ଅଣତାରକା ପ୍ରଶ୍ନ ମଧ୍ୟରୁ ୨୧୯୧ଟି ପ୍ରଶ୍ନର ଲିଖିତ ଉତ୍ତର ମଧ୍ୟ ସରକାର ଦେଇଛନ୍ତି । ବିରୋଧୀ ଦଳ ଦ୍ୱାରା ଆଗତ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିଥିବାବେଳେ ୨ଟି ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଥିଲା । ଚଳିତ ଅଧିବେଶନରେ ଗୃହରେ ୮ଟି ସିଏଜି ରିପୋର୍ଟ ସମେତ ୧୦ଟି ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପିତ ହୋଇଛି ।

Leave a Reply

Your email address will not be published. Required fields are marked *