ନିଆରା ପରମ୍ପରା ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଚାଲିଛି ମାଆ ମାଣିକେଶ୍ବରୀଙ୍କ ଗୁପ୍ତନୀତି !

ଧୁମଧାମରେ ଚାଲିଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଭବାନୀପାଟଣା ସହର ଫାଶୀ ଡଙ୍ଗର ଜେନାଖାଲରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତି । ବିଧି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବିରାଟ ପଟୁଆରରେ ଯାଉଛି ମା’ଙ୍କ ବିଜୟ ପ୍ରତିମା ଛତର । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରୁଥିବା ଦେଖିବାକୁ ମିଳିଛି । ବରଷକେ ଠାରେ ମାଙ୍କ ଏହି ପୂଜାକୁ ଦେଖିବାକୁ କାହିଁ କେଉଁ ଆଡୁ ଭିଡ ଛୁଟିଛି ମାଙ୍କ ପାଖକୁ । ତେବେ ଏହି ଅବସରରେ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି ।

ସ୍ଥାନୀୟ ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ଆଜି ବି ମା’ ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ମା’ଙ୍କ ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରି ଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ମାନସିକ ଧାରି ବୋଦା ଓ କୁକୁଡ଼ା ଆଦି ବଳି ଆରମ୍ଭ ହୋଇ ସାରିଛି । ତେବେ ଭକ୍ତ ମାନେ ମାଆଙ୍କ ନିକଟରେ ନିଜ ଗୁହାରି ଜଣାଇବା ସହ ମାଆଙ୍କ ଛତର ଦର୍ଶନ ପାଇ କୋଟି ପୂଣ୍ୟ ଅର୍ଜନ କରିଥିବା ଦେଖିବାକୁ ମିଳିଛି ।