ଆଗାମୀ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜଙ୍କ ଗ୍ରୀନ୍ ସିଗନାଲ !

ରତ୍ନଭଣ୍ଡାର ଖୋଲିବାକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳୁଥିବା ବେଳେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜ କହିଛନ୍ତି ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା ‘ । କାରଣ ରଥଯାତ୍ରା ପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍‌ ଥାଏ।’ ତେଣୁ ଏହି ସମୟ ହିଁ ପ୍ରକୃଷ୍ଠ ସମୟ । ସୂଚନା ଅନୁସାରେ ବିରୋଧୀ ବିଜେପି ରତ୍ନ ଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜାଙ୍କୁ ଭେଟି ଦାବି କରିଥିଲା। ତା’ପରେ ଗତକାଲି ପ୍ରେସ ବିବୃତ୍ତି ମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜା ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଛି ।

ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ । ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । କେବଳ ସେତିକି ନୁହେଁ ଏ ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ, ପରିଚାଳନା କମିଟିର ସବୁ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଗଜପତି ମହାରାଜ । ତେବେ ସବୁର ତର୍ଜମା କରି ରତ୍ନଭଣ୍ଡାର ଖୋଲିବା ନେଇ ମତ ରଖିଛନ୍ତି ଗଜପତି ମହାରାଜା ।