ହମ୍‌ଲାରେ ମୋଟ ୪ ଜଣ ଆତଙ୍କୀଙ୍କ ସମ୍ପୃକ୍ତି

୨୨ ଘଣ୍ଟା ଚାଲି ଚାଲି ଆସିଥିଲେ ଆତଙ୍କୀ

ପହଲଗାମ୍‌ ଆକ୍ରମଣ ଘଟଣାରେ ଏକ ବଡ଼ ତଥ୍ୟ ହସ୍ତଗତ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀମାନେ ୨୦ରୁ ୨୨ ଘଣ୍ଟା ଜଙ୍ଗଲରେ ଚାଲି ଚାଲି ବୈସରନ ଘାଟିରେ ପହଞ୍ଚିଥିଲେ । ହମ୍‌ଲାରେ ମୋଟ ୪ ଜଣ ଆତଙ୍କୀ ସମ୍ପୃକ୍ତ ରହିଥିଲେ । ସେଥିମଧ୍ୟରୁ ୩ ଜଣ ପାକିସ୍ତାନ ଓ ଜଣେ ସ୍ଥାନୀୟ ଅଞ୍ଚଳର ଥିଲା । ସ୍ଥାନୀୟ ଆତଙ୍କବାଦୀ ଆଦିଲ୍ ଥୋକର୍‌ ବୋଲି ଚିହ୍ନଟ ହୋଇଛି । ଆକ୍ରମଣ ପାଇଁ ସେମାନେ AK-47 ଓ M4 ରାଇଫଲ ବ୍ୟବହାର କରିଥିଲେ ।

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ଆକ୍ରମଣର ତଦନ୍ତ କରୁଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଥୋକର୍‌ର ସହାୟତା ନେଇ ପାହାଡ଼ିଆ ଦୁର୍ଗମ ରାସ୍ତାରେ ୨୨ ଘଣ୍ଟା ଚାଲିବା ପରେ ‌ବୈସାରଣ ପହଞ୍ଚିଥିଲେ। ଫୋରେନସିକ୍ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ଅତ୍ୟାଧୁନିକ ଏକେ-୪୭ ଓ ଏମ୍-୪ ଆସଲ୍ଟ ରାଇଫଲ ବ୍ୟବହାର କରିଥିଲେ। ଯାହାର ଗୁଳି ଘଟଣାସ୍ଥଳରୁ ଜବତ କରାଯାଇଛି। ପ୍ରମାଣ ଭାବରେ ଏହି କାଟ୍ରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏନ୍‌ଆଇଏ ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ଏହି ଘଟଣା ଘଟାଇଥିବା ବେଳେ ଜଣେ ସ୍ଥାନୀୟ ଫଟୋଗ୍ରାଫର ପୂରା ଆକ୍ରମଣର ଭିଡିଓ ରେକର୍ଡ କରିଥିଲେ । ସେହି ସମୟରେ ସେ ନିଜକୁ ବଞ୍ଚାଇବା ପାଇଁ ଏକ ଗଛ ଉପରେ ଚଢ଼ିଯାଇଥିଲେ। ତଦନ୍ତ ପାଇଁ ଏହି ଭିଡିଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହା ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ମଧ୍ୟ ସହାୟକ ହେବ। ଆକ୍ରମଣ ସମୟରେ ସେଠାରେ  ସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ତାଙ୍କ ପରିବାର ସହ ଛୁଟି କାଟୁଥିଲେ। ସେ ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି ଏବଂ ଘଟଣା ସମ୍ପର୍କରେ ଏଜେନ୍ସିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପହଲଗାମ ଆକ୍ରମଣରେ କାଶ୍ମୀରର କିଛି ସ୍ଥାନୀୟ ଲୋକଙ୍କର ମଧ୍ୟ ସମ୍ପୃକ୍ତି ଥିବା ଏଜେନ୍ସିମାନେ ଦାବି କରିଛନ୍ତି। ସର୍ଭେଲାନ୍ସ ଜରିଆରେ ଅତି କମ୍‌ରେ ୧୫ ଜଣ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ) ଏବଂ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।