ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଶସ୍ୟ ପରିବହନ ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଶସ୍ୟ ପରିବହନ ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାକୁ ବୃଦ୍ଧି। ରାଜ୍ୟ ସରକାର ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବି କରିପାରିବେ ନାହିଁ। କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୮ କୋଟି ୬୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ (Hot Cooked Meal) ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ। ଏହାସହିତ ଘରକୁ ରେସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବୀ କରିପାରିବେ ନାହିଁ । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ। ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।