ପୁଣି ସାପ ନେଲା ଜୀବନ । ବର୍ଷା ପାଇଁ ବଢୁଛି ସାପ ଚିନ୍ତା । ଏହି ସାପ ନେଇଛି ଦୁଇ ଦୁଇଟି ନିରୀହ ଜୀବନ । ତାହା ପୁଣି ଗୋଟିଏ ପରିବାରର । ଏଭଳି ଅଘଟଣ ଘଟିଛି ଦେବଗଡ଼ ପୌରାଞ୍ଚଳ ଜାଙ୍ଗଲୀକୁଦର ସାହିରେ । ଶୋଇଥିବା ବେଳେ ଚୋଟ ମାରିଲା ବିଷାକ୍ତ ଚିତି ସାପ । ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଜାଙ୍ଗଲିକୁଦର ଗାଁର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ପୁତ୍ର ୧୪ ବର୍ଷୀୟ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷୀୟ ସୌଭାଗ୍ୟ ଦେହୁରୀ ବୋଲି ଜଣା ପଡିଛି ।
ଗତକାଲି ଦୁଇ ଭାଇ ଗୌରାଙ୍ଗ ଓ ସୌଭାଗ୍ୟ ଘର ଭିତରେ ଚଟାଣରେ ଶୋଇଥିଲେ। ରାତି ପ୍ରାୟ ୪ ଟା ସମୟରେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା। ଏନେଇ ଗୌରାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି। ଏହାସହ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାପକୁ ନେଇ ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି ।
