ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟର ଗଣତି ମଣତି କାର୍ଯ୍ୟ
ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ସମସ୍ତ ସେବାୟତଙ୍କ ସହଯୋଗରେ ଏହା ସଂପୂର୍ଣ୍ଣ ହୋଇଛି । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ । ଭଣ୍ଡାର ମେକାପ ଦେଇଥିବା ସ୍ୱର୍ଣ୍ଣ ଅଳଙ୍କାରକୁ ମିଶାଇଲେ ଏହା ୧୯୭୮ ମସିହା ତାଲିକା ଠାରୁ ଅଧିକ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ତେବେ ୧୯୭୮ ମସିହା ତାଲିକା ଅନୁସାରେ ବାହାର ରତ୍ନଭଣ୍ଡାରରେ ଦୁଇଟି ଅଳଙ୍କାର ନାହିଁ । ହୁଏତ ଏହା ଭିତର ରତ୍ନଭଣ୍ଡାର ରେ ରହିଥାଇପାରେ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି । ୧୩ ତାରିଖ ଦିନ ଜିଲ୍ଲା ଟ୍ରେଜରୀରୁ ଆସି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ। ପ୍ରତ୍ୟେକ ଦିନ ଗଣତି ମଣତି ଶେଷ ହେବା ପରେ ଜଉ ମୁଦ ଦିଆଯାଇ ଚାବି ପୁନଶ୍ଚ ଟ୍ରେଜରୀକୁ ନିଆଯିବ। ୧୯୭୮ ମସିହା ଗଣତି ମଣତି ତାଲିକା ଅନୁଯାୟୀ ବାହାର ରତ୍ନଭଣ୍ଡାରରେ ୮୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର ଓ ୪୭୬୧ ଭରିର ୩୯ ପ୍ରକାର ରୂପା ଅଳଙ୍କାର ଓ ଦ୍ରବ୍ୟ ରହିଛି । ରତ୍ନ ଅଳଙ୍କାର ଗୁଡ଼ିକୁ ନିରବଚ୍ଛିନ୍ନ, ସୁନ୍ଦର ଏବଂ ନିର୍ଭୁଲ ଭାବେ ଗଣତିମଣତି କରାଯାଇଛି । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତି ମଣତି ବନ୍ଦ ରହିବ । ଏହାପରେ ୧୬ ରୁ ୧୮ ଯାଏଁ ପୁଣିଥରେ ଗଣତି ମଣତି କରାଯିବ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ।
