୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା
ରଥଯାତ୍ରା ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ଉତ୍ତରପ୍ରଦେଶର ମଧ୍ୟଭାଗରେ ଥିବା ଘୂର୍ଣ୍ଣିବଳୟର ଉପର ଦେଇ ଏକ ଟ୍ରଫ୍ ଲାଇନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି କରୁଛି। ଏଥିସହ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପଶ୍ଚିମ-କେନ୍ଦ୍ର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଅବସ୍ଥିତ। ଏହାର ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ଘନୋଉଛି।
ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ଭଲ ପରିମାଣର ବର୍ଷା ହେବ। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨୫ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ। କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ୨୫ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅବଶିଷ୍ଟ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
