ଆଜି ଆସୁଛନ୍ତି ମହାମହିମ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟରେ କରିବେ ଯୋଗଦାନ । ମୟୂରଭଞ୍ଜକୁ ମହାମହିମ ଦ୍ୱିତୀୟ ଥର ପାଇଁ ଆସୁଥିବା ବେଳେ ସ୍ବାଗତ ପାଇଁ ସରିଛି ସବୁ ତୟାରି।ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀସ୍ଥିତ ପାଲାମ ଏୟାରପୋର୍ଟରୁ ଉଡ଼ାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରବେସ୍ରେ ପହଞ୍ଚିବେ ମହାମହିମ । ପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଦିନ ୧୧ଟା ୨୫ରେ ଅବତରଣ କରିବେ । ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ ।

ପରେ କୁଳିଅଣା ବ୍ଲକରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିବେ। ପରେ ସେଠାରୁ ବାହାରି ବାରିପଦା ସର୍କିଟ୍ ହାଉସରେ ମଧ୍ୟାହ୍ନଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ଣରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ। ରାଇରଙ୍ଗପୁର ଡାକବଙ୍ଗଳାରେ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବେ। କାଲି ସକାଳ ୮ଟାରେ ବାସଭବନରୁ ବାହାରି ନିଜ ଶାଶୂଘର ପାହାଡ଼ପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦ୍ଘାଟନ କରିବେ। ପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ତେବେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ଭାବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ମହାମହିମଙ୍କ ରହଣି ନେଇ ମଧ୍ୟ ପୁରା ତୟାରି ସରିଥିବା ଦେଖିବାକୁ ମିଳିଛି।