ବିଏମସିର କଠୋର କାର୍ଯ୍ୟାନୁଷ୍ଠାନ !
ଆପଣ ରାଜଧାନୀର ବାସିନ୍ଦା କି ? ଆପଣଙ୍କ ଘରେ ଆପଣ ଗାଈ ରଖିଛନ୍ତି କି । ତେବେ ସାବଧାନ ହୋଇଯାନ୍ତୁ । ଯଦି ଆପଣଙ୍କ ଗାଈ ଗୋରୁ ରାଜଧାନୀର ରାଜରାସ୍ତାରେ ଦେଖାଯାଏ ତାହେଲେ ଆପଣ ଗଣିବେ ଜରିମାନା । ଏ କଥା ଆମେ କହୁନୁ ଏହି ନିୟମ କରିଛି ବିଏମସି । ତେବେ ରାଜଧାନୀକୁ ସୁନ୍ଦର ରଖିବାକୁ ବିଏମସି ବହୁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏବେ ଆଉ ଏକ ନିୟମ କରିଛି । ଯାହା ବୁଲା ଗାଈ ଗୋରୁଙ୍କ ମାଲିକଙ୍କ ପାଇଁ ।
ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ। ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଗତକାଲି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ସୂଚନା ଦେଇଛନ୍ତି ।
ବୁଲା ଗାଈଗୋରୁଙ୍କ ପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଏମସି। ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ବ୍ରହ୍ମଗିରି, ଜଟଣୀ ଓ ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବୁଲା ଗାଈଗୋରୁଙ୍କ ମାଲିକମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ।
