ନର୍ସ ଦେଇଦେଲେ ଭୁଲ ଇଞ୍ଜେକ୍ସନ, ରୋଗୀ ମୃତ !

ବାଲେଶ୍ବରରେ ଅଭାବନୀୟ ଘଟଣା !

ଭୁଲ୍ ଇଞ୍ଜେକସନ ନେଲା ରୋଗୀର ଜୀବନ । ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ଉତ୍ତେଜନା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତ ହୋଇଥିବା ବେଳେ ନର୍ସଙ୍କ ଭୁଲ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି ।

ସୂଚନା ଅନୁସାରେ ପେଟ ଯନ୍ତ୍ରଣା ହେବାରୁ ଗୁରୁବାର ଦିନ ଗଙ୍ଗାଧରଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧରଙ୍କ ଯନ୍ତ୍ରଣା ଅଧିକ ହୋଇଥିଲା ଏନେଇ ପରିବାର ଲୋକେ ନର୍ସଙ୍କୁ ଜଣାଇଥିବା ବେଳେ ନର୍ସ ସଙ୍ଗେ ସଙ୍ଗେ ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ତେବେ ନର୍ସଙ୍କ ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସେପଟେ ଏହି ଘଟଣା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି ।