ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା

ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା, କୈଫତ୍ ମାଗିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ନୂଆ ସରକାର । ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବସର ପରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କିଏ ଉତ୍ତର ଦାୟୀ ତାହା ବି କାହା ପାଖରେ ଖବର ନାହିଁ । ବାହାର ସଂସ୍ଥାକୁ ବି ଦିଆଯାଇଛି ପରିଚାଳନା ଦାୟିତ୍ବ । ନିର୍ଦ୍ଦିଷ୍ଟ କୋଟେରୀ କବଜାରେ ଥିଲା କ୍ଷମତା । ଅଚଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ୍ ଢଙ୍ଗରେ କୌଣସି ସୂଚନା ଦେଇପାରିନଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଢିଲା ଓ ଅପାରଗ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଅଫିସର ମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି ।

କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ହେଲା ଏହାର କୈଫତ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କାହା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ନଥିଲା । ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି ।