ବାତ୍ୟାର ନାଁ ‘ହାମୁନ’ !

ବଙ୍ଗୋପସାଗରେ ବଢୁଛି ବାତ୍ୟା !

ଆସୁଛି ବଙ୍ଗୋପସାଗରରେ ବଡ ବାତ୍ୟା ! ଅକ୍ଟୋବର ମାସରେ ବାତ୍ୟା ଓଡ଼ିଶା ପାଇଁ କିଛି ନୂଆ ନୁହେଁ । ତେବେ ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଯଦି ବାତ୍ୟାର ରୂପ ନିଏ ନାଁ ରହିବ ‘ହାମୁନ’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଗାମୀ ସମୟରେ ଏହାର ପୁରା ରୂପ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସବୁଠୁ ଖୁସିର କଥା ଯଦି ବାତ୍ୟା ହୁଏ ତେବେ ଏହାର ପ୍ରଭାବ ଓଡ଼ିଶାରେ ସେତେଟା ରହିବ ନାହିଁ । ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ ।ନବମୀ ଏବଂ ଦଶମୀରେ ହାଲୁକା ବର୍ଷା ହୋଇପାରେ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।