ଚାଷୀ ଆଖିରେ ଲୁହ ଦେଲା ନିଅଣ୍ଟିଆ ବର୍ଷା

ସେପ୍ଟେମ୍ବରରେ ଆସିପାରେ ମରୁଡ଼ି !

ରାଜ୍ୟରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଅଗଷ୍ଟ ଯାଇ ସେପ୍ଟେମ୍ବର ହେଲାଣି ଅଥଚ ଯେଉଁ ପରିମାଣରେ ବର୍ଷା ହେବା କଥା ତାହା ହୋଇନାହିଁ । ଚାଷଜମିଗୁଡିକ ଫାଟି ଆଁ କଲାଣି । ତେବେ ଏସବୁ ଦେଖି ମରୁଡି ଆଶଙ୍କା କରାଯାଉଥିବା ଦେଖିବାକୁ ମିଳିଛି ।ଯାହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏଲ-ନିନୋ ପ୍ରଭାବରେ ଅଗଷ୍ଟରେ ନିଅଂଟିଆ ବର୍ଷା ହୋଇଛି । କହିବାକୁ ଗଲେ ଆକାଶରୁ ଗାଏବ ହୋଇଯାଇଛି ମେଘ । କେଉଁଠି ଜମି ଫାଟି ଆଁ କରିଛି ତ ଆଉ କେଉଁଠି ତଳି ପୋଡି ଯାଇଛି । ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ପ୍ରଭାବିତ ଚାଷର ବିକଳ୍ପ ବ୍ୟବସ୍ଥା କରାନଗଲେ ଆଗରୁ ବଡ ଧରଣର ସଂକଟ ଆସିପାରେ ବୋଲି ଆଶଙ୍କା କରାଯାଉଛି ।

ନିଅଂଟିଆ ବର୍ଷା ଚାଷୀର ଚିନ୍ତା ବଢାଇ ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ଅଭାବରୁ ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କରିଛି । ପାଣି ନଥିବାରୁ ଧାନ ରୋଇ ହେଉନି, କେଉଁଠି ରୁଆ aଯାଇଥିବା ଧାନ ତଳି ଜଳିଗଲାଣି ।ବର୍ଷା ନାହିଁ କି ଜଳସେଚନ ସୁବିଧା ନାହିଁ । ଚାଷକୁ ନେଇ ଚିନ୍ତାରେ ପଡିଛି ଚାଷୀ ଭାଇ ।ନିଅଂଟିଆ ବର୍ଷାକୁ ନେଇ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୩ ମାସରେ ରାଜ୍ୟର ୧୧ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । ନବରଂଗପୁରରେ ସର୍ବାଧିକ ୪୧% ନିଅଣ୍ଟିିଆ ବର୍ଷା ହୋଇଛି । କେନ୍ଦ୍ରାପଡାରେ ୩୭%, କଳାହାଣ୍ଡିରେ ୩୬%, ଗଞ୍ଜାମରେ ୩୫% କମ୍ ବର୍ଷା ରେକର୍ଡ ହୋଇଛି। ୧୨୦ ବର୍ଷରେ ସବୁଠୁ ଶୁଖିଲା ପାଲଟିଛି ଚଳିତ ବର୍ଷର ଅଗଷ୍ଟ । ଏସବୁ କଥାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ମରୁଡି ନେଇ ସରକାର ମଧ୍ୟ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସେପ୍ଟେମ୍ବରରେ ଯଦି ବର୍ଷା ନ ହୁଏ ତେବେ ଆଗାମୀ ଦିନରେ ମରୁଡିକୁ କେହି ରୋକିପାରିବେନି ।