ହାଣ୍ଡିଶାଳେ ଏବେ ନିଆଁ ଲାଗିଛି । ବେଲଗାମ ହୋଇଛି ବଜାର ଦର , ଯାହା ଏବେ ଖାଉଟିଙ୍କ ପକେଟକୁ ବଡ ବାଧୁଛି । ପରିବାଠୁ ଆରମ୍ଭ କରି ତେଜରାତି ସାମଗ୍ରୀ ସଭିଙ୍କ ଦର ଏବେ ଆକାଶ ଛୁଆଁ । କେମିତି ଚଳିବ ସାଧାରଣ ଲୋକର ତେଲଲୁଣର ସଂସାର ତାହା ଏବେ ଚିନ୍ତାର ବିଷୟ । ବଜାରକୁ ଗଲେ ପରିବା କିଣିବା ତ ଦୂରର କଥା ରେଟ ଶୁଣି ମୁହଁ ଫେରାଉଛନ୍ତି ଗରାଖ। କାହିଁକି ନା ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍ ପୁରୁନି । ବଜାର ଦର ଏତେ ବଢିଯାଇଛି କି ଶୁଣିଲେ ବିଶ୍ବାସ ହେଉନି । କିଛି ପରିବା ସେଞ୍ଚୁରୀ ପାର କରିଥିବା ବେଳେ ଆଉ କିଛି ଶହେ ପାର ହେବାକୁ ନିଜ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରିସାରିଲେଣି ।
ବର୍ତ୍ତମାନ ଆମେ କିଛି ପରିବାର ଦର ଆପଣଙ୍କ ସାମ୍ନାରେ ରଖୁଚୁ, ଯାହା ବଜାରରେ ଏବେ ବେଶ ଚର୍ଚା ସୃଷ୍ଟି କରିଛି । ଟମାଟୋ ୧୨୦, ବାଇଗଣ ୧୦୦ , କଞ୍ଚାଲଙ୍କା ୩୦୦, ସଜନା ଛୁଇଁ ୨୦୦ , ଧନିଆ ପତ୍ର ୩୦୦ , ଫୁଲକୋବି ୬୦ , ପୋଟଳ ୬୦, ଝୁଡଙ୍ଗ ୬୦, ଭେଣ୍ଡି ୫୦, କାକୁଡି ୫୦, କଲରା ୮୦, ସେହିପରି ତେଜରାତି ସମଗ୍ରୀରେ ଜିରା ୮୫୦ ପାର କରିଥିବା ବେଳେ କାଜୁ ୬୦୦, ପୋସ୍ତ ମଧ୍ୟ ୮୦୦ ପାର କରିଛି।
ତେବେ ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି । ସରକାର ତୁରନ୍ତ ଦର ନିୟନ୍ତ୍ରଣ ନକଲେ ଏହା ଭବିଷ୍ୟତ ଅର୍ଥନୀତିକୁ ପ୍ରଭାବିତ କରିବ । ବ୍ଯୁରୋ ରିପୋର୍ଟ ଯଯାତି ଏକ୍ସପ୍ରେସ।
