ବାଲିଯାତ୍ରା ୨୦୨୫ ରେ କଟକ-ଇନ୍-କଟକର ଥିମ୍ ରହିବ “ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ”
ଐତିହାସିକ କଟକ ବାଲିଯାତ୍ରା ୨୦୨୫ ରେ କଟକ-ଇନ୍-କଟକର ଥିମ୍ ରହିବ “ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ”। ବର୍ତ୍ତମାନ ସୁଦ୍ଧା ଚାରିଜଣ ବଲିଉଡ୍ କଳାକାରଙ୍କ ସାଙ୍ଗରେ ଯୋଗାଯୋଗ ହୋଇସାରିଛି। ସେମାନେ ହେଲେ ଶ୍ରେୟା ଘୋଷାଲ୍, ହର୍ଷଦୀପ ସିଂ, ହମ୍ ସୁଫି ବ୍ୟାଣ୍ଡ, ରିଷି । ଓଲିଉଡର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ଉଭୟ ମଞ୍ଚରେ ଦର୍ଶକ ଦେଖି ପାରିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।
ଚାରୋଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି । ଜରୁରୀକାଳୀନ ପ୍ରସ୍ଥାନ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ ।ଐତିହାସିକ ବାଲିଯାତ୍ରା ପଡିଆକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କଲା କଟକ ଜିଲ୍ଲା ପ୍ରଶାସନ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ବାଲିଯାତ୍ରା ଗ୍ରାଉଣ୍ଡ୍ର ୫ କିମି ପରିଧି ପାଇଁ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍ ଜୋନ୍’ କଟକଣା ଜାରି ହୋଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି । ଏହାସହିତ ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, UAV, ଡ୍ରୋନ୍ ଉଡାଇବା ମଧ୍ୟ ମନା । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି ।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ । ଚଳିତବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଯୋଗଦେବାର ଆଶା କରାଯାଉଛି ।
