ହାଇବ୍ରିଡ୍ ଷ୍ଟାଇଲରେ ହେବ ଘାଟି ରାସ୍ତା
କେନ୍ଦୁଝର ଜିଲ୍ଲାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଘାଟିରାସ୍ତାଗୁଡ଼ିକ ଉତ୍ତରାଖଣ୍ଡ ଶୈଳୀରେ ନିର୍ମାଣ ହେବ । ଦାର୍ଜିଲିଂ ଓ ଉତ୍ତରାଖଣ୍ଡରେ ଘାଟିରାସ୍ତା ନିର୍ମାଣ କରୁଥିବା ବିଶେଷଜ୍ଞଙ୍କ ବୈଷୟିକ ସହାୟତାରେ କେନ୍ଦୁଝରର ଘାଟିରାସ୍ତା ନିର୍ମାଣ ନିମନ୍ତେ ଦୀର୍ଘସୂତ୍ରୀ ଯୋଜନା ହାତକୁ ନିଆଯାଇଛି । କେନ୍ଦୁଝର ପୂର୍ତ୍ତ ବିଭାଗ ପକ୍ଷରୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନୁଦୁରପଡ଼ା-କାଳିଆହତା ଘାଟିରାସ୍ତାକୁ ପ୍ରଶସ୍ତ କରାଯାଇ ଉନ୍ନତୀକରଣ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ୧୩ କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଡିପିଆର୍ ଦାଖଲ କରାଯାଇଛି ।ସବୁଜ ବନାନୀ ଘାଟି ବହୁଳ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳରେ ଅତଡ଼ା ଖସି ଯାତାୟାତ ବ୍ୟାହତ ହୁଏ । ବାୟାପଣ୍ଡାଦାର-ଗୋନାସିକା ୯ କି.ମି.ରାସ୍ତାରେ ବର୍ଷାଦିନରେ ଘାଟିରୁ ମାଟି ଅତଡ଼ା ଖସୁଛି । କେନ୍ଦୁଝର ଜିଲ୍ଲାର ଗୋନାସିକା ପ୍ରମୁଖ ଶୈବପୀଠ ଏବଂ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଏହି ରାସ୍ତା ଦେଇ ବହୁ ଶ୍ରଦ୍ଧାଳୁ ବ୍ରହ୍ମେଶ୍ଵର ମନ୍ଦିରରେ ଜଳାଭିଷେକ ପାଇଁ ଯାଇଥାନ୍ତି। ଘାଟିରାସ୍ତାରେ ବର୍ଷାଦିନରେ ମାଟି ଧସୁଥିବାରୁ ଲୋକମାନେ ନିଜକୁ ଅସୁରକ୍ଷିତ ମଣିଥାନ୍ତି । ଏହି ୯କିଲୋମିଟର ରାସ୍ତାରେ ଦୁଇଟି ବଡ଼ ଘାଟି ରହିଛି ଅନେକ ବର୍ଷ ତଳେ ଏହି ଘାଟି ଦୁଇଟିକୁ କାଟି ରାସ୍ତା ଓସାରିଆ କରାଯାଇଥିଲା । ଘାଟି ପାର୍ଶ୍ବ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଇ ନ ଥିବାରୁ ବର୍ଷାଦିନରେ ମାଟି ଓ ପଥର ଖସୁଛି।ହରିଚନ୍ଦନପୁର ବ୍ଲକ୍ କୁ ତେଲକୋଇ ବ୍ଳକ୍ ସହ ଯୋଡୁଥିବା ଏହି ନୁଦୁରୁପଦା-କାଳିଆହତା ଘାଟିରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି । ସ୍ଥାନୀୟ ଲୋକମାନେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି ଜଣାଇବା ପରେ ସେ ଏହାର ଉନ୍ନତୀକରଣ ପାଇଁ ଘୋଷଣା କରିଥିଲେ ।ଟ୍ରାଫିକ୍ ବ୍ୟବସ୍ଥା ଓ ୩୦ ବର୍ଷକୁ ଆଖିଆଗରେ ରଖି ଏହି ଘାଟି ରାସ୍ତା ଚଉଡ଼ା କରାଯିବ । ସଙ୍କର ସଶକ୍ତ ମୃତ୍ତିକା ଢାଞ୍ଚା (ହାଇବ୍ରିଡ୍ ରିନ୍ଫୋର୍ସଡ ସଏଲ ଷ୍ଟ୍ରକଚର) ତଥା ଉନ୍ନତ ଜ୍ଞାନକୌଶଳରେ ଏହା ନିର୍ମାଣ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି।
