ଆଈକୁ କଟୁରୀରେ ହାଣିଲା ନାତି !

ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ବେଳେ ଫେରାର ହୋଇଥିଲା ଅଭିଯୁକ୍ତ ନାତି

ଜଘନ୍ୟ ବିଭଶ୍ଚ ନୃଶଂସତାର ଆଉ ଏକ ଭିନ୍ନ କାହାଣୀ । ଆଈକୁ କଟୁରୀରେ ହାଣି ଅତି ବିଭଶ୍ଚ ଭାବେ ହତ୍ୟା କରିଛି ନାତି । ଏଭଳି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇ ଗିରୀ ଗାଁରେ । ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ସଜା କାଟୁଥିବା ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ପ୍ରାୟ ଦେଢ ବର୍ଷ ହେବ ପୁଲିସ ଆଖିରେ ଧୁଳି ଦେଇ ଫେରାର ହୋଇଥିଲା। ତେବେ ରକ୍ତମୁଖା ହୋଇ ଆଜି ଜୀବନ ଘଟାଇଛି ବିଭଶ୍ଚ କାଣ୍ଡ।

ସୂଚନା ଅନୁସାରେ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଗାଁର ଜଣେ ନାବାଳିକାକୁ ଅପହରଣ କରି ୨ ମାସ ପାଖରେ ରଖି ଛାଡ଼ି ଦେଇଥିଲେ। ଏନେଇ ଗତ ୨୦୨୦ ମସିହାରେ ଅଭିଯୋଗ ହେବା ପରେ ସେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ଏହାପରେ ସେ ବିଚାରଧୀନ ବନ୍ଦୀ ଭାବେ ଆଳିପିଙ୍ଗଳ ଜେଲ୍‌ରେ ଥିଲେ। ତେବେ ଗତ ୨୦୨୨ ଏପ୍ରିଲ ମାସରେ ଜେଲରୁ ଫେରାର ହୋଇ ଯାଇଥିଲା । ଆଜି ସକାଳୁ ଜୀବନ ଜ୍ୟୋତି ନିଜ ଘରକୁ ଆସିଥିଲେ।

କୌଣସି କଥାକୁ ନେଇ ଆଈଙ୍କ, ନାତିଙ୍କ ମଧ୍ୟରେ ଝଗଡ଼ା ହେବାରୁ ଜୀବନ ଏକ କଟୁରୀରେ ନିଜ ଆଈଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ଏହାକୁ ବିରୋଧ କରିବାରୁ ଦୁଷ୍କର୍ମରେ ଶିକାର ହୋଇଥିବା ପିଡୀତାର ମା’ ସନ୍ଧ୍ୟାରାଣୀ ଦାସ ଓ ପଡୋଶୀ ହେମଲତା ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟରେ ଚାଞ୍ଚଲ୍ୟ ଖେଳିଯାଇଛି ।