ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୪୯ କୋଟି ଟଙ୍କା କ୍ଷତିପୂରଣ ଦେଇସାରିଲେଣି ସରକାର
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ପ୍ରଶ୍ନ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନେଇ ଥିଲା । ବିଗତ ୧୪ ମାସ ମଧ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେତେ ଟଙ୍କା ଫେରସ୍ତ କରିଛନ୍ତି ଓ କେତେ କ୍ଷତିଗ୍ରସ୍ତ ଚିହ୍ନଟ ହୋଇଛନ୍ତି ତାହାକୁ ନେଇ ସୂଚନା ମାଗିଥିଲେ । ଏହା ସହିତ କ୍ଷତିପୂରଣ ଟଙ୍କା ଦେବାକୁ ବଜେଟ୍ରେ କେତେ ଟଙ୍କାର ପ୍ରାବଧାନ ରହିଛି । ଯଦି କୌଣସି ପ୍ରାବଧାନ ନାହିଁ ତେବେ ସରକାର ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଥିଲେ ଗୌତମବୁଦ୍ଧ ଦାସ । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଗତ ୧୪ ମାସ ମଧ୍ୟରେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା । ଏଥିରେ ରୋଜ୍ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନି, ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭେଲପର୍ସ ଗ୍ରୁପ୍ ଅଫ୍ କମ୍ପାନି ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେଇଛନ୍ତି ସରକାର ।ମୋଟ ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ଦେଇଛନ୍ତି ସରକାର । ୯୬ ହଜାର ୮୦୧ କ୍ଷୁଦ୍ର ଜମାକାରୀଙ୍କୁ ୪୬ କୋଟି ଟଙ୍କା କର୍ପସ ଫଣ୍ଡରୁ ଦିଆଯାଇଛି । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେବାକୁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ୍ ସୃଷ୍ଟି କରାଯାଇଛି । ଭୁବନେଶ୍ୱର ଅର୍ଥନୈତିକ ଶାଖା ମୁତାବକ ରାଜ୍ୟରେ ଆନୁମାନିକ ୨୪ ଲକ୍ଷ ୭୫ ହଜାର ୭୮୨ ଜମାକାରୀ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
