ମା,ପୁଅକୁ ତଣ୍ଟି ଚିପି ହତ୍ୟା କଲା ବାପା !

ସଇତାନ ସାଜିଲା ସ୍ଵାମୀ । ନେଲା ଦୁଇ ଦୁଇଟି ନିରୀହ ଜୀବନ । ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ସହ ୫ବର୍ଷର ପୁଅକୁ ମାରିଛି ନରହନ୍ତା । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ। ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ। ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ ଉମେଶ ବନ୍ତ ଅଞ୍ଚଳ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ଭଡ଼ାରେ ରହୁଥିଲେ। ତେବେ ବିଭିନ୍ନ ସମୟ ଉମେଶ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀକୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ତେବେ ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ। ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ।
ପୁଅର ଚିତ୍କାର ଶୁଣି ଉମେଶଙ୍କ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା। ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଉମେଶ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ।

ପୁଅ ଓ ସ୍ତ୍ରୀକୁ ହତ୍ୟା କରି ଉମେଶ ଫେରାର ହୋଇଯାଇଥିଲେ। ଏପରିକି ଗାଁ ପାଖ ଏକ ଗଛ ଉପରେ ଚଢି ଉମେଶ ଲୁଚିକି ବସିଥିଲେ। ଆଜି ସକାଳେ ଗ୍ରାମବାସୀ ଘଟଣାସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉମେଶଙ୍କୁ ଗିରଫ କରିଛି । ତେବେ ନିଶା ଏମିତି ସଂସାର ଉଜାଡି ଦିଏ ଯେ ଯାହାକୁ ନେଇ ସ୍ଥାନିୟରେ ଚର୍ଚ୍ଚା ଜୋର ଧରିଛି ।