ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା

ସାଙ୍ଗ ହୋଇ ବାପଝିଅଙ୍କ ଆତ୍ମହତ୍ୟା !

ସାମ୍ନାକୁ ଆସିଲା ଏକ ଲୋମହର୍ଷଣକାରୀ ଘଟଣା । ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଭଣ୍ଡାରିପୋଖରୀ ସ୍ଥିତ ଆଖୁଆପଦା ବୈତରଣୀ ନଦୀ ବ୍ରିଜ ଉପରେ । ବୈତରଣୀ ନଦୀକୁ ଡେଇଁ ବାପ ଝିଅ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁସାରେ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ ତାଙ୍କ ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଛନ୍ତି । ଗତକାଲି ରାତି ପ୍ରାୟ ୯ଟା ବେଳେ ଚନ୍ଦନ ଏକ ବାଇକ ଯୋଗେ ବୈତରଣୀ ନଦୀ ବ୍ରିଜ ଉପରେ ପଂହଁଚି ଥିଲେ । ବ୍ରିଜ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ ।

ଏହାକୁ କିଛି ସ୍ଥାନୀୟ ଲୋକେ ଏଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ଏଯାଏଁ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । ଖବର ଅନୁଯାୟୀ ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପୂର୍ବରୁ ଚନ୍ଦନ ତାଙ୍କ ଶେଷ କଲରେ ନଦୀକୁ ଡେଇଁବା କଥା କହିଥିବା ସୂଚନା ରହିଛି। ତେବେ ଏହି ଘଟଣା ପୁରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।